ଖୋର୍ଦ୍ଧା: ଗୋଟିଏ ରାତିରେ ୨ଟି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବାଘମାରୀ ଥାନା ସିମୋର ପଞ୍ଚାୟତ ଗଁପୁର ଗାଁରେ ମଙ୍ଗଳବାର ରାତିରେ ଦୁର୍ବୃତମାନେ ୨ଟି ପରିବାରର ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ଗୋଟିଏ ରାତିରେ ୨ ଘରେ କଳାକନା ବୁଲାଇଲେ ଦୁର୍ବୃତ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ପରିବାର ଲୋକେ ଖାଇପିଇ ଶୋଇବା ପରେ ବିଳମ୍ବିତ ରାତିରେ ପ୍ରଥମେ ଗଁପୁର ଗାଁ ଗଉଡସାହିର ଶରତ ଦାଶଙ୍କ ବାଡି କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶି କାଠଆଲମିରାରୁ ସୁନାଚେନ, ମୁଦି, କାନଫୁଲ ଓ ପାଉଁଜି ସମେତ ୧୨ହଜାର ଟଙ୍କା ଲୁଟି ନେଇଥିଲେ । ପରେ ଗାଁର ସନ୍ତୋଷ କୁମାର ଦାସଙ୍କ ଘରେ ପଶି ଗୋଟିଏ ସୁନା ମୁଦି ଏବଂ ୧୫ହଜାର ଟଙ୍କା ଲୁଟିଥିଲେ । ପରିବାର ଲୋକେ ଉଠିବା ପରେ ଘରେ ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ଦୁଇ ପରିବାର ପକ୍ଷରୁ ଅଭିଯୋଗ ପାଇ ବାଘମାରୀ ଥାନା ପୁଲିସ ୫୭/୨୧ ଓ ୫୮/୨୧ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି ।
ସୂଚନା ପାଇ ସାଇଣ୍ଟିଫିକ ଟିମ ଏବଂ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ କାହାରିକୁ ପୋଲିସ ଠାବ କରିପାରିନାହିଁ । ପ୍ରକାଶ ଥାଉକି ଗତକିଛି ଦିନ ତଳେ ବାଘମାରୀର ଜଣେ ବ୍ୟବସାୟୀଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ପୂର୍ବରୁ ବାଘମାରୀ-ସାରୁଅ ରାସ୍ତାରୁ ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଠାରୁ ସୁନାଗହଣା ବ୍ୟାଗ ଛଡାଇ ନେଇଥିଲେ । ସେହିପରି ଦିନିଆରି ଟାଙ୍ଗିସାହିରୁ ସାଢୀ ଏବଂ ଷ୍ଟେସନାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ ।
ତେବେ ବାଘମାରୀ ଥାନା ପୋଲିସ ପକ୍ଷରୁ ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଉନଥିବାରୁ ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି, ଛିନତାଇ ଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ