ଭୁବନେଶ୍ବର:ରାଜଧାନୀରେ ତୁମୂଳକାଣ୍ଡ । ବାକିରେ ସିଗାରେଟ ମାଗିବାରୁ ମନା କଲା ଦୋକାନୀ । ରାଗରେ ଧାରୁଆ ଅସ୍ତ୍ରରେ ଦୋକାନୀକୁ ଆକ୍ରମଣ କଲା ରଙ୍ଗମିସ୍ତ୍ରୀ । ଅଭିଯୋଗ ଆଧାରରେ ରଙ୍ଗମିସ୍ତ୍ରୀକୁ ଗିରଫ କରିଛି ପୋଲିସ । ଆକ୍ରମଣର ଶିକାର ଦୋକାନୀର ନାଁ ସୁଧୀର କୁମାର ନାୟକ ହୋଇଥିବା ବେଳେ ଆକ୍ରମଣକାରୀର ନାଁ ଅବିନାଶ ବୋଲି ସୂଚନା ଦେଇଛି ପୋଲିସ ।
ଅଭିଯୋଗକାରୀ ଦୋକାନୀ ସୁଧୀର କୁମାର ନାୟକଙ୍କ ସୂଚନା ମୁତାବକ, ଲିଙ୍ଗରାଜ ଥାନ ଲୁଇସ୍ ରୋଡରେ ତାଙ୍କ ପାନ ଦୋକାନ ରହିଛି । ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଅବିନାଶ ହଠାତ୍ ଆସି ସୁଧୀରଙ୍କୁ ଏକ ସିଗାରେଟ ମାଗିଥିଲେ। ବାକିରେ ସିଗାରେଟ ଦେବାକୁ ମନା କରି ଦେଇଥିଲେ ସୁଧୀର । କିନ୍ତୁ ଟଙ୍କା ନାହିଁ ପଛରେ ଦେଇଦେବି କହି ବାକିରେ ସିଗାରେଟ ମାଗିଥିଲା ଅବିନାଶ । କିନ୍ତୁ ସୁଧୀର ବାକିରେ ଦେବାକୁ ମନା କରିବା ପରେ ରାଗ ଜରଜର ହୋଇ ତାଙ୍କୁ ଏକ ଧାରୁଆ ଚାପଡରେ ଆକ୍ରମଣ କରିଥିଲା ଅବିନାଶ ।
ଆକ୍ରମଣ ଫଳରେ ଦୋକାନୀ ସୁଧୀର ରକ୍ତାକ୍ତ ହୋଇଥିଲେ । ଏହାସହ ଲୋକଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିଥିଲେ । ଲୋକମାନେ ଆସିବା ପୂର୍ବରୁ ଅବିନାଶ ସେଠାରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ସୁଧୀର ପୋଲିସକୁ ଫୋନ କରିଥିଲେ । ପିସିଆର ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରିଥିଲେ । ଅଭିଯୋଗ ଓ ମେଡିକାଲ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ IPCର ଧାରା ୩୦୭ ମରଣାନ୍ତକ ଆକ୍ରମଣ, ଧାରା ୩୨୬ ଗଭୀର କ୍ଷତ ପହଞ୍ଚାଇବା, ୩୯୪ କୌଣସି ଜିନିଷ ଚୋରି ବା ଡକାୟତି ଉଦ୍ଦେଶ୍ୟରେ ଆକ୍ରମଣ କରିବା ୨ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ।