ଓଡିଶା

odisha

ETV Bharat / state

ମମିତା-ଇତିଶ୍ରୀ ପରି ଆଉ ଜଣେ ମହିଳା ! ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ଲେଖାଶ୍ରୀଙ୍କ ନିଶାନା - ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜନୈକା ମହିଳାଙ୍କ ଅଭିଯୋଗକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି । କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପୋଲିସ ସମସ୍ତଙ୍କ ଅଭିଯୋଗ ଶୁଣିଛି । ହେଲେ ମନ୍ତ୍ରୀଙ୍କ ନାଁରେ ହୋଇଥିବା ଅଭିଯୋଗ ପ୍ରଶ୍ନକୁ ଏଡ଼ାଇ ଗଲେ । ସେପଟେ ରାଜ୍ୟରେ କେଉଁ ମହିଳା ନ୍ୟାୟ ପାଇଛି ପ୍ରଶ୍ନ କରି ବର୍ଷିଲା ବିଜେପି । ଅଧିକ ପଢ଼ନ୍ତୁ

ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅଭିଯୋଗ ପ୍ରଶ୍ନକୁ ଏଡ଼ାଇଗଲେ ଗୃହରାଷ୍ଟ୍ର ମନ୍ତ୍ରୀ
ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅଭିଯୋଗ ପ୍ରଶ୍ନକୁ ଏଡ଼ାଇଗଲେ ଗୃହରାଷ୍ଟ୍ର ମନ୍ତ୍ରୀ

By

Published : Apr 16, 2023, 9:46 AM IST

ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅଭିଯୋଗ ପ୍ରଶ୍ନକୁ ଏଡ଼ାଇଗଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ମନ୍ତ୍ରୀଙ୍କ ବିରୋଧରେ ଆଉ ଜଣେ ମହିଳାଙ୍କ ଅଭିଯୋଗ । ରାଜ୍ୟରେ ଶ୍ରମ ମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା । ଘଟଣାର ୪୮ ଘଣ୍ଟା ପରେ‌ ବି କମିଶନରେଟ ପୋଲିସର ନିଷ୍କ୍ରିୟତା ନେଇ ତେଜିଲା ରାଜନୀତି । ମାମଲା ଚାପିଦେବାକୁ ଥାନାଠୁ ଆରମ୍ଭ କରି ପାୱାର କରିଡର ପର୍ଯ୍ୟନ୍ତ ରଫାଦଫା ପାଇଁ ଯୋଜନା ହୋଇଥିବା ଅଭିଯୋଗ । ସେପଟେ କେସର ଅପଡେଟ ନେଇ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଯେ କୌଣସି ସ୍ଥାନରେ କାହା ନାଁରେ ଅଭିଯୋଗ ଆସୁ, ତାର ଭିତ୍ତି ଥାଉ କି ନଥାଉ, ପୋଲିସ ଅଭିଯୋଗ ଶୁଣିଛି ବୋଲି କହିଛନ୍ତି ମନ୍ତ୍ରୀ । ଆଗାମୀ ଦିନରେ ପୋଲିସ ତାର କାର୍ଯ୍ୟ ନିଶ୍ଚୟ କରିବ ବୋଲି କହିଲେ, ହେଲେ ମହିଳା ଥାନାରେ ମନ୍ତ୍ରୀଙ୍କ ନାଁରେ ହୋଇଥିବା ଅଭିଯୋଗ ଉପରେ କିଛି ନକହି ଚୁପ୍ ହୋଇ ଚାଲିଗଲେ ।

ଏହାକୁ ନେଇ ବିଜେପି ନେତ୍ରୀ ପ୍ରଶ୍ନ ଦୋହରାଇଛନ୍ତି । ରାଜ୍ୟରେ କେଉଁ ମହିଳା ନ୍ୟାୟ ପାଇଛି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମମିତା, ସ୍ମିତାରାଣୀ, ବେବିନା, ଇତିଶ୍ରୀ, କୁନ୍ଦୁଲି ପୀଡିତାର କଥା ଉଠାଇ କେଉଁ ମହିଳା ଓଡ଼ିଶାରେ ନ୍ୟାୟ ପାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପରସ୍ପରକୁ ଘଣ୍ଟ ଘୋଡାଇବାକୁ ଲାଗିଛନ୍ତି ବିଜେଡି ନେତା ଓ ମନ୍ତ୍ରୀ ବୋଲି କହି ବିଜେଡିକୁ ନିଶାନା କରିଛନ୍ତି ।

ସେ କହିଛନ୍ତି, "ସମୀର ଦାସ, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ ଭଳି ଅପରାଧି କାର୍ଯ୍ୟକଳାପରେ ସାମିଲ ଥାଇ ବାହାରେ ବୁଲୁଛନ୍ତି । ପ୍ରଶାସନ ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ଯାହାର ଫାଇଦା ଏ ଦାଗୀ ନେତା ନେଉଛନ୍ତି । ଏପରିକି ନବଦାସ ହତ୍ୟା ମାମଲାରେ ଷଡ଼ଯନ୍ତ୍ର ସାମ୍ନାକୁ ଆସିଲା ନାହିଁ । ତାଙ୍କ ଝିଅ ଦୀପାଳି ଦାସ ଓଡ଼ିଶା ପୋଲିସ ଉପରେ ଭରସା ପାଇଲାନି ବୋଲି ବାହାରୁ ସିକ୍ୟୁରିଟି ଗାର୍ଡ ମଗାଇ ବୁଲୁଛନ୍ତି । ଏହା ସ୍ପଷ୍ଟ କରୁଛି ଏଠି ମହିଳା କିପରି ସୁରକ୍ଷିତ । ଯେଉଁ କଥା ମନ୍ତ୍ରୀ ତୁଷାରକାନ୍ତି ବେହେରା କହୁଛନ୍ତି, ତାହା ପ୍ରମାଣ କରନ୍ତୁ । ପୋଲିସ ମାମଲାକୁ ରଫାଦଫା କରିବାରେ ଲାଗିଛି ।" ପ୍ରଶାସନ‌, ପୋଲିସ ଓ ସରକାର ଅର୍ଥ ଠାରୁ ଆରମ୍ଭ କରି ସବୁ ପ୍ରକାର ଚାପ ଅଭିଯୋଗକାରୀ ଉପରେ‌ ପଡେ ବୋଲି ଲେଖାଶ୍ରୀ କହିଛନ୍ତି ।

ସେପଟେ ଏନେଇ ବିଜେଡି ନେତା ଦେବୀ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ଏକ ସମ୍ବେଦନଶୀଳ ଘଟଣା । ଆଇନ ଯାହା‌ ହେବା କଥା ହେବ । ସେ ଦିଗରେ ପୋଲିସ ତଦନ୍ତ କରୁଛି । ଖାଲି ଚର୍ଚ୍ଚା ବା ଅଭିଯୋଗରେ ଅଭିଯୋଗ ଆଣିଲେ ହେବନାହିଁ । ତାହାକୁ ଅବସ୍ଥାପିତ କରିବାକୁ କିଛି ପ୍ରମାଣ ବି ଦେବାକୁ ହେବ । ଯଦି କାହା ମନରେ କାହାକୁ ଆଘାତ ହୋଇଛି‌, ଯିଏ ଅଭିଯୋଗ ଦେଇଛନ୍ତି ସେ କହିପାରିବେ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା କଥା ହେବ । ଯାହା ସତ୍ୟ ତାହା ପଦାକୁ ଆସିବ ।" ତେବେ ଶ୍ରମ ମନ୍ତ୍ରୀଙ୍କ ନାଁରେ ମହିଳାଙ୍କ ଅଭିଯୋଗ‌ ପରେ ଏବେ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି ପରେ କଂଗ୍ରେସ ମଧ୍ୟ ଏନେଇ ରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛି । ଏହାରି ଭିତରେ‌ ମନ୍ତ୍ରୀଙ୍କ ନାଁରେ ଆସିଥିବା ଅଭିଯୋଗକୁ ନେଇ ଆଗକୁ ରାଜ୍ୟ କ୍ୟାବିନେଟ ଏବଂ ପୋଲିସ କେଉଁ ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details