ଭୁବନେଶ୍ବର:୫-‘ଟି’ ଉପକ୍ରମରେ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ଦ୍ବାରା ରାଜ୍ୟର ମତ୍ସ୍ୟ ସମ୍ପଦ ଓ ପ୍ରାଣୀ ସମ୍ପଦର ବିକାଶ ହୋଇଛି । ଏହା ସହିତ ମତ୍ସ୍ୟ ଚାଷୀ ଓ ପଶୁ ପାଳକମାନଙ୍କ ରୋଜଗାର ଓ ଆୟବୃଦ୍ଧି କରାଯାଇଛି । ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଫ୍ଲାଗସିପ ଯୋଜନା ଓ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କୃଷି ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ବୈଠକରେ ବିଗତ ବର୍ଷ ଗୁଡ଼ିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବଜେଟରେ ବ୍ୟୟ ବରାଦ ବୃଦ୍ଧି କରାଯାଇ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଯୋଜନାର ସୁଫଳ ସିଧାସଳଖ ହିତାଧିକାରୀ ଚାଷୀ ଯେପରି ପାଇପାରନ୍ତି, ସେଥି ନିମନ୍ତେ ‘ମୋ ସରକାର’ କାର୍ଯ୍ୟକ୍ରମକୁ କଡ଼ାକଡ଼ି ଭାବରେ ଅନୁପାଳନ କରିବା ଉପରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଣୀ ସମ୍ପଦର ଯତ୍ନ ଓ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ ପ୍ରାଣୀଧନ ନିରୀକ୍ଷକଙ୍କ ଦକ୍ଷତାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସେମାନଙ୍କ ଦକ୍ଷତା ବିକାଶର ବିଭିନ୍ନ ଦିଗ ସଂପର୍କରେ ବୈଠକରେ ବିଶଦ ଭାବରେ ଆଲୋଚନା ହୋଇଛି ।