ଓଡିଶା

odisha

ETV Bharat / state

ସୁଦୃଢ ହୋଇଛି ମାଣ୍ଡିଆର ସଂଗ୍ରହ ଓ ବଣ୍ଟନ ବ୍ୟବସ୍ଥା: କୃଷିମନ୍ତ୍ରୀ - ମାଣ୍ଡିଆ ସଂଗ୍ରହ ନେଇ କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା

ଚଳିତ ବର୍ଷ ୧୯ଟି ଜିଲ୍ଲାରେ ହେବ ମାଣ୍ଡିଆ ସଂଗ୍ରହ । ପ୍ରକୃତ ପଞ୍ଜିକୃତ ଚାଷୀ ଯେପରି ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ ସେଥିପାଇଁ ଏମ-ପାସ ପୋର୍ଟାଲ କରାଯାଇଛି । ଏହାସହ ମାଣ୍ଡିଆ ସଂଗ୍ରହ ଓ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ବୋଲି କହିଛନ୍ତି ରାଜ୍ୟ କୃଷୀମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

କୃଷିମନ୍ତ୍ରୀ
କୃଷିମନ୍ତ୍ରୀ

By

Published : Dec 30, 2022, 1:42 PM IST

ଭୁବନେଶ୍ବର:ରାଜ୍ୟରେ ପୃଷ୍ଟି ଶସ୍ୟ ମାଣ୍ଡିଆର ଚାଷ ଓ ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଚାଷୀମାନଙ୍କୁ ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମାଣ୍ଡିଆର କ୍ରୟ ଓ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ କରାଯାଉଛି । ପ୍ରକୃତ ପଞ୍ଜିକୃତ ଚାଷୀ ଯେପରି ମଣ୍ଡିରେ ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଇପାରିବେ ସେଥି ନିମନ୍ତେ ଏମ୍‌-ପାସ୍‌ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ମାଣ୍ଡିଆର ଦେୟ ତିନିଦିନ ମଧ୍ୟରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଡିବିଟି ଜରିଆରେ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଆଦିବାସୀ ବିକାଶ ସମବାୟ ନିଗମ ଓଡ଼ିଶା ଲିମିଟେଡ ମାଣ୍ଡିଆ ସଂଗ୍ରହ ନିମନ୍ତେ ଅନୁମୋଦିତ ରାଜ୍ୟ କ୍ରୟ ସଂସ୍ଥା ଭାବରେ କାର୍ଯ୍ୟ କରୁଛି । ଏହା ବିଭିନ୍ନ ଲ୍ୟାମ୍ପସ୍‌, ପ୍ୟାକ୍‌ସ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଘ ଜରିଆରେ ଏମ୍‌-ପାସ୍‌ ପୋର୍ଟାଲ ମାଧ୍ୟମରେ ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରିଥାଏ ।



ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ବାହାର ରାଜ୍ୟର ମାଣ୍ଡିଆ ଯେପରି ଓଡ଼ିଶା ମିଲେଟ୍‌ ମିଶନର ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟାରେ ସାମିଲ ନହେବ, ସେଥି ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଡିସେମ୍ବର ୨୭ ତାରିଖରେ ରାଜ୍ୟର ସୀମାବର୍ତ୍ତୀ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ ମାଣ୍ଡିଆ କ୍ରୟରେ କୌଣସି ପ୍ରକାର ଅନିୟମିତତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ମିଶନର ଅଧିନରେ ରାଜ୍ୟର ୧୯ଟି ଜିଲ୍ଲା ମାଲକାନଗିରି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, କୋରାପୁଟ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, ନୂଆପଡ଼ା ଓ ନୟାଗଡ଼ରୁ ମାଣ୍ଡିଆ ସଂଗ୍ରହ କରାଯିବ ।

ଚଳିତ ବର୍ଷ ହାରାହାରି ଗୁଣବତ୍ତା ମାନର ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୫୭୮ଟଙ୍କା ରଖାଯାଇଛି । ଚାଷୀମାନଙ୍କଠାରୁ ମାଣ୍ଡିଆର ସମସ୍ତ କିସମ ସଂଗ୍ରହ କରାଯାଉଛି । ଏମ୍‌-ପାସ୍‌ ଅଧୀନରେ ପଞ୍ଜିକୃତ ଜଣେ ଚାଷୀ ହେକଫର ପିଛା ୧୦ କ୍ୱିଣ୍ଟାଲ ମାଣ୍ଡିଆ ବିକ୍ରି କରିପାରିବାର ବ୍ୟବସ୍ଥା ରହିଛି । ମାଣ୍ଡିଆ ସଂଗ୍ରହକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ସହିତ ପ୍ରକୃତ ଚାଷୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ମାଣ୍ଡିଆ ବିକ୍ରୀ କରିପାରିବେ ସେଥିନିମନ୍ତେ ଚାଷୀ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ଚାଷୀମାନେ ଲ୍ୟାମ୍ପସ୍‌/ପ୍ୟାକ୍‌ସ ଏବଂ କୃଷକ ଉତ୍ପାଦନ ସଂଘ ମାଧ୍ୟମରେ ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ । ମାଣ୍ଡିଆ ବିକି୍ର ପାଇଁ ଚାଷୀ ପଞ୍ଜୀକରଣ କାର୍ଯ୍ୟ ବିନା ମୂଲ୍ୟରେ ଲ୍ୟାମ୍ପସ୍‌, ପ୍ୟାକ୍‌ସ ଓ କୃଷକ ଉତ୍ପାଦକ ସଂଘ ନିକଟରେ ଫର୍ମ ଉପଲବ୍ଧ ହେଉଥିବାବେଳେ ପଂଜୀକରଣ ନିମନ୍ତେ ଭୋଟର କାର୍ଡ ଓ ଆଧାର କାର୍ଡର ଅବିକଳ ନକଲ ସହିତ ମାଣ୍ଡିଆ ଚାଷ କରିଥିବା ଜମି ପଟ୍ଟାର ଅବିକଳ ନକଲ ଦାଖଲ କରିବାକୁ ପଡ଼ିବ ।

ଆବେଦନ ଫର୍ମର ଯାଞ୍ଚ ସହିତ ଚାଷୀମାନଙ୍କର ବ୍ୟାଙ୍କଖାତା ଯାଞ୍ଚ କରାଯାଏ । ଭୂଲେଖ ମାଧ୍ୟମରେ ଚାଷୀଙ୍କ ଚାଷ ଜମି ପଟ୍ଟାର ସମୀକ୍ଷା କରାଯିବା ସହିତ କୃଷି ଅଧିକାରୀ ଓ ରାଜସ୍ୱ ଅଧିକାରୀମାନଙ୍କ ଦ୍ୱାରା ଜମିର ସର୍ବେକ୍ଷଣ ଓ ଅନୁମୋଦନ କରାଯାଏ । ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଭୁକ୍ତ ଅଧିକୃତ ଜମିରେ ଚାଷ କରିଥିବା ଚାଷୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ।

ଆଦିବାସୀ ବିକାଶ ସମବାୟ ନିଗମ ଓଡ଼ିଶା ଲିମିଟେଡ ଦ୍ୱାରା ପ୍ରତ୍ୟେକଟି ଚାଷୀଙ୍କ ପଞ୍ଜୀକରଣକୁ ଯାଞ୍ଚ, ଅନୁମୋଦନ ଏବଂ ସ୍ୱୀକୃତି ପ୍ରଦାନ କରିଥାନ୍ତି । ଲ୍ୟାମ୍ପସ୍‌, ପ୍ୟାକ୍‌ସ, କୃଷକ ଉତ୍ପାଦକ ସଂଘ ଦ୍ୱାରା ମାଣ୍ଡିଆ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲାହେବାର ଏକ ସପ୍ତାହ ପୂର୍ବରୁ ଅନୁମୋଦିତ ଚାଷୀଙ୍କୁ ଟୋକନ୍‌ ଯୋଗାଇ ଦିଆଯାଇଥାଏ । ନିର୍ଦ୍ଧାରିତ ଆଧାର କାର୍ଡ ସହ ଚାଷୀଙ୍କ ଚକ୍ଷୁ ପିତ୍ତୁଳିକା ସ୍କାନ୍‌ ଏବଂ ସଠିକ୍‌ ଚାଷୀ ପରିଚୟ ପରେ ଟୋକନ୍‌ ଅନୁସାରେ ମାଣ୍ଡିଆ କ୍ରୟ କରାଯାଏ ।



ରାଜ୍ୟରେ ମାଣ୍ଡିଆ ଚାଷର ପ୍ରସାର ସହିତ ଉତ୍ପାଦନ ଏବଂ ଉତ୍ପାଦିକତା ବୃଦ୍ଧି ପାଇଁ ଓଡ଼ିଶା ମିଲେଟ୍‌ ମିଶନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ମାଣ୍ଡିଆ କ୍ରୟ ଯୋଜନାରେ ସାମିଲ ହୋଇ ଏମ୍‌ଏସ୍‌ପିର ଲାଭ ପାଇପାରିବେ, ସେଥିପାଇଁ ବ୍ୟାପକ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି । ଗ୍ରାମସ୍ତରରେ ସରପଞ୍ଚ, ୱାର୍ଡ ସଭ୍ୟ, ଗ୍ରାମପଞ୍ଚାୟତସ୍ତରର କର୍ମକର୍ତ୍ତାମାନଙ୍କୁ ନେଇ ଓଡ଼ିଶା ମିଲେଟ୍‌ ମିଶନ ଅଧିନରେ ଥିବା ସେ୍ୱଚ୍ଛାସେବୀ ଅନୁଷ୍ଠାନ, କୃଷକ ଉତ୍ପାଦକ ସଂଘ ଏବଂ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥି ସହିତ ଗୋଷ୍ଠୀ ଯନ୍ତ୍ର ସହାୟକ କେନ୍ଦ୍ର ମାଧ୍ୟମରେ ଚାଷୀମାନଙ୍କୁ ମାଣ୍ଡିଆ ଚାଷ ପାଇଁ କୃଷି ଯନ୍ତ୍ରପାତି ସହ ଉତ୍ପାଦିତ ମାଣ୍ଡିଆର ହାରାହାରି ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଯନ୍ତ୍ର ଓ ସାମଗ୍ରୀ ସୁଲଭ ମୂଲ୍ୟରେ ଭଡ଼ାସୂତ୍ରରେ ଉପଲବ୍ଧ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details