ଭୁବନେଶ୍ବର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ବି.ଆର ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି । ବିଶ୍ବକପ୍ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି । ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ସାରା ବିଶ୍ବର ନଜର ଏବେ ଓଡିଶା ଉପରେ ରହିଛି । ଦୁଇ ଦୁଇ ଥର ଆମେ ବିଶ୍ବକପ ହକି ସଫଳତାର ସହ ଆୟୋଜନ କରିଛୁ ।