ଖୋର୍ଦ୍ଧା: ପାର୍ବଣ ଋତୁର ଆଗମନରେ ଚାରିଆଡ଼ କାଶତଣ୍ଡିର ସମ୍ଭାର । ଆଉ କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା। ଆଉ ମା'ଙ୍କ ଆବାହନ ପୂର୍ବରୁ ଚାରଆଡ ଶୋଭା ମଣ୍ଡିତ କରିଥାଏ କାଶତଣ୍ଡି ଫୁଲ। ତେବେ ଖୋର୍ଦ୍ଧା ଜିଲ୍ଲାର ରାସ୍ତା କଡ଼ ଏବଂ ନଦୀପଠାରେ ଦେଖିବାକୁ ମିଳୁଛି କାଶତଣ୍ଡି। ଶରତ ମାସର କଅଁଳିଆ ବାଦଲର ହାଲକା ପବନ ମଧ୍ୟରେ ଧରଣୀ ବକ୍ଷରେ ଖେଳୁଛି କାଶତଣ୍ଡି । ଯାହାକୁ ଦେଖିବା ପରେ କବି ଲେଖନୀରୁ ଝରିପଡୁଛି କବିତା। ବାଟରେ ଯାଉଥିବା ପଥିକମାନଙ୍କୁ ମଧ୍ୟ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟ ଆନମନା କରୁଛି।
ମା'ଙ୍କ ଆଗମନରେ ଧବଳବର୍ଣ୍ଣା ହୋଇଛି ଧରିତ୍ରୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ସତେ ଯେମିତି ହସୁଛି କାଶତଣ୍ଡୀ ଫୁଲ। ନଦୀ ପଠାଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି କାଶତଣ୍ଡି ଫୁଲ ଫୁଟିଛି । ଶାରଦୀୟ ଋତୁର ଆଗମନରେ ମନମୋହୁଛି ଏହି କାଶତଣ୍ଡି ଫୁଲ । ସତେ ଯେମିତି କାଶତଣ୍ଡିର ଧଳା ଚାଦର ସ୍ପର୍ଶରେ ଧରାପୃଷ୍ଠକୁ ଜଗତ ଜନନୀ ମା’ ଦୁର୍ଗା ଓହ୍ଲାଇ ଆସିଥିବା ଭଳି ମନେ ହେଉଛି । ଏହି ମନଲୋଭା ସୌନ୍ଦର୍ଯ୍ୟକୁ ଦେଖିବା ପରେ କବିଙ୍କ ଲେଖନୀରୁ ଝରିପଡୁଛି କବିତା।