ଭୁବନେଶ୍ବର:ଓଡିଶାରୁ ଫେରିଗଲା ମୌସୁମୀ । ବିଳମ୍ବରେ ଆସିଲା ହେଲେ ସଅଳ ଫେରିଗଲା ମୌସୁମୀ । ପାଗ ଅନୁକୂଳ ଯୋଗୁଁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଛି । ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ବେଳେ ସ୍ବାଭାବିକର ଦୁଇଦିନ ପୂର୍ବରୁ ମୌସୁମୀ ରାଜ୍ୟରୁ ଫେରିଯାଇଛି ।
ତେବେ ମୌସୁମୀ ଫେରିବାର ସମୟ ଅକ୍ଟୋବର ୧୫ ଥିବା ବେଳେ ୨ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ । କିନ୍ତୁ ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ମଧ୍ୟ ହୋଇନାହିଁ । ସେହିଭଳି ଆକାଶ ଏବେ ମେଘମୁକ୍ତ ରହିଛି । ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ପୃଷ୍ଠରେ ପଡ଼ୁଛି । ଏସବୁ କାରଣରୁ ଏବେ ଓଡ଼ିଶାରେ ବର୍ତ୍ତମାନ ପ୍ରଚଣ୍ଡ ଖରା ଓ ଗରମ ଅନୁଭୂତ ହେଉଛି । ସେପଟେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ରାତିର ତାପମାତ୍ରା କମ୍ ରହିବ ।
ପାଣିପାଗ ବିଶେଷଜ୍ଞ ଏଚ ଆର ବିଶ୍ବାସ କହିଛନ୍ତି, ‘‘ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପରେ ରାଜ୍ୟକୁ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ବଢିଥାଏ । କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖାଦେଇଛି । ବାୟୁମଣ୍ଡଳର ତଳ ଭାଗରେ ଜଳୀୟ ବାଷ୍ପର ପ୍ରଭାବ ତଥା ମେଘମୁକ୍ତ ଆକାଶ ତାପମାତ୍ରା ବଢ଼ାଉଛି । ରାଜ୍ୟରେ ସ୍ବାଭାବିକ ତାପମାତ୍ରାଠାରୁ 2ରୁ 3 ଡିଗ୍ରୀ ବଢିଛି । ରାଜ୍ୟରେ ସବୁଠାରୁ ସର୍ବାଧିକ ତାପମାତ୍ର ଅନୁଗୋଳ ଜିଲ୍ଲାରେ ରେକର୍ଡ କରାଯାଇଛି । ଅନୁଗୋଳର ତାପମାତ୍ରା 36.7 ଡିଗ୍ରୀ ରହିଥିଲା । ସେହିପରି ଭୁବନେଶ୍ବରର ତାପମାତ୍ରା 34.4 ଡ୍ରିଗ୍ରୀ ରେକଡ କରାଯାଇଛି । ’’