ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସପିଙ୍କ ନବୀନ ପ୍ରୀତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଦୁଇ ପ୍ରଶାସନିକ ଅଧିକାରୀ । ଗତକାଲି(ରବିବାର) ଉଭୟ ମୟୂରଭଞ୍ଜରେ ଏକ ମାରଥନ କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ଏହି ଟି-ସାର୍ଟ ପିନ୍ଧିଥିଲେ । ଯାହାକୁ ନେଇ ଏବେ ରାଜ୍ୟରେ ବିବାଦ ମୁଣ୍ଡ ଟେକିଛି । ଜିଲ୍ଲାପାଳ ଓ ଏସପିଙ୍କ ଉକ୍ତ ଫଟୋକୁ ଟ୍ବିଟ୍ କରି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସୂଚନା ମୁତାବକ, ଗତକାଲି ମୟୂରଭଞ୍ଜରେ 'ଆଦି ମାରାଥନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନେକ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ । ଜିଲ୍ଲାର ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଏସପି ବି. ଗଙ୍ଗାଧର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ଦୁଇ ଉଚ୍ଚପ୍ରଦସ୍ଥ ପ୍ରଶାସନିକ ଅଧିକାରୀ ଯେଉଁ ଟି-ସାର୍ଟ ପିନ୍ଧିଥିଲେ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋ ଲଗାଥିବା ଦେଖିବାକୁ ମିଳିଥିଲା । ଯାହାପରେ ଦୁହେଁ ବିବାଦ ଘେରକୁ ଆସିଛନ୍ତି ।
ଏହାକୁ ନେଇ ଆଜି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଅଧିକାରୀମାନେ ମନେରଖିବା ଉଚିତ୍ ଯେ, ସବୁବେଳେ ଋତୁ ସମାନ ରୁହେନି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମୟୂରଭଞ୍ଜ ଏସପି ଓ କଲେକ୍ଟର ନିଜ ସାମ୍ବିଧାନିକ ସୀମା ଭିତରୁ ରୁହନ୍ତୁ । ସରକାରୀ କର୍ମଚାରୀମାନେ ଆଇନ ଉଲ୍ଲଙ୍ଘନ କରିବା ବା ନୈତିକତା ହରାଇବା ସମାଜ ପାଇଁ ଶୁଭଙ୍କର ନୁହେଁ ।