ଓଡିଶା

odisha

By ETV Bharat Odisha Team

Published : Dec 18, 2023, 8:03 PM IST

ETV Bharat / state

ଗାଢକଣ ଅଳିଆ ଗଦା ଉଚ୍ଛେଦ ପ୍ରସଙ୍ଗ, ମେୟର ପଚାରିଲେ ଅଳିଆ ନେଇ କୁଆଡେ ଯିବ ବିଏମସି

Garbage Dumping Row: ଗାଢକଣ ଅଳିଆ ଗଦା ଉଚ୍ଛେଦ ଦାବିରେ ବିଜେପିର ସତ୍ୟାଗ୍ରହ ୨୧ ଦିନରେ ପହଞ୍ଚିଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବା ନେଇ ପ୍ରତିଶ୍ରୁତି ଦେବା ସହ ବିଜେପିକୁ ଭିତ୍ତିହୀନ ରାଜନୀତି ନକରିବାକୁ କହିଛନ୍ତି ମେୟର । ଅଧିକ ପଢନ୍ତୁ

garbage dumping issue
ଅଳିଆ ଗଦା ଉଚ୍ଛେଦ ଦାବି

ଅଳିଆ ଗଦା ଉଚ୍ଛେଦ ଦାବି

ଭୁବନେଶ୍ୱର: ଜୋର ଧରିଛି ଗାଢକଣ ଅଳିଆ ଗଦା ଉଚ୍ଛେଦ ଦାବି । ବିଜେପିର ସତ୍ୟାଗ୍ରହ ୨୧ ଦିନରେ ପହଞ୍ଚିଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଲେ ମେୟର । ସତ୍ୟାଗ୍ରହକୁ ନେଇ ବିଜେପିକୁ କଟାକ୍ଷ କରି ମେୟର ସୁଲୋଚନା ଦାସ କହିଛନ୍ତି, "ଲୋକଙ୍କ ନିକଟତର ହେବା ପାଇଁ ବିଜେପି ପାଖରେ କୌଣସି ମୁଦ୍ଦା ନାହିଁ । ତେଣୁ ବିଜେପି ଟିଟିଏସକୁ ମୁଦ୍ଦା କରିଛନ୍ତି । ଯାହା ଗ୍ରହଣୀୟ ନୁହେଁ । ତେଣୁ ବିଜେପି ଏଭଳି ଭିତ୍ତିହୀନ ମୁଦ୍ଦାକୁ ନେଇ ରାଜନୀତି ନକରି ସତ୍ୟାଗ୍ରହରୁ ହଟିବା ପାଇଁ ମୁଁ ଅନୁରୋଧ କରୁଛି ।"

ଏହାସହ ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ମଧ୍ୟ ଟାର୍ଗେଟ କରି ବିଜେପିକୁ କଟାକ୍ଷ କରିଛନ୍ତି ମେୟର । ସାଂସଦ ପୂର୍ବରୁ ଭୁବନେଶ୍ୱର କମିଶନର ଥିଲେ ଆଉ ତାଙ୍କର କିଛି ନେତା କର୍ପୋରେଟର ଥିଲେ । ଯେଉଁମାନେ କି ସହରର ଅଳିଆ ସମସ୍ୟା ସହ ଭଲଭାବେ ଅବଗତ ଅଛନ୍ତି । ତାଙ୍କ ସମୟରେ ଖାଲି ଅଳିଆ ପକାଯାଉଥିଲା । ଅଳିଆକୁ ପ୍ରକ୍ରିୟାକରଣ କରି ଲୋକଙ୍କ ହାତରେ ଲଗାଯାଉନଥିଲା । ଯାହା ଆମେ କରୁଛୁ । ଆଉ ଏଥିପାଇଁ ସମୟ ଲାଗିବ । ବିଜେପି ପରି ଖାଲରେ ଫୋପାଡ଼ି ଦେଇ ଲୋକଙ୍କୁ ହଇରାଣ କରାଉନୁ କି ଯନ୍ତ୍ରଣା ଦେଉନାହୁଁ । ହେଲେ ସେହି ସଂସଦୀୟ କ୍ଷେତ୍ରର ସାଂସଦ ଓ ବିଜେପି କର୍ମକର୍ତ୍ତା ସବୁ ଜାଣି ମଧ୍ୟ ଏହାକୁ ନେଇ ରାଜନୀତି କରୁଛନ୍ତି" ବୋଲି କହିଛନ୍ତି ଭୁବନେଶ୍ୱର ମେୟର।

ସେ ଆହୁରି କହିଛନ୍ତି, "ବିଏମସି ଅଞ୍ଚଳରେ ପ୍ରତିଦିନ ୧ ହଜାର ମେଟ୍ରେକ୍ ଟନ୍ ଅଳିଆ ବାହାରୁଛି । ଏହାକୁ ପ୍ରକ୍ରିୟାକରଣ କରିବାକୁ ସମୟ ଲାଗୁଛି । ସେ ଅଳିଆକୁ ନେଇ କୁଆଡେ ଯିବ ବିଏମସି ? ଯେତେବେଳେ କି ସ୍ଥାୟୀ ଅଳିଆ ଗଦା ଭାବେ ଭୁବନେଶ୍ୱରର ଆବର୍ଜନା ପଡୁଥିବା ଦାରୁଠେଙ୍ଗରେ NGTର ନିଷ୍ପତ୍ତି ପରେ ଅଳିଆ ପକା ବନ୍ଦ ହୋଇଯାଇଛି । ଆଉ ଏଥିପାଇଁ ଟିଟିଏସରେ ମାତ୍ରାଧିକ ଅଳିଆ ଗଦା ହୋଇଯାଇଛି । ବିଏମସି ଲୋକଙ୍କ ସମସ୍ୟା ବୁଝୁଛି । ତେଣୁ ଏହାର ସମାଧାନ ପାଇଁ ୩ଟି ସିଫ୍ଟରେ ଟେରେକ୍ସ ଏବଂ ଟର୍ମେଲ ମେସିନ୍ ଚଳାଇ କାମ କରୁଛି । ସେଠାର ଆଉ ଅଳିଆ ଗଦା ହେବନି । ୨ ମାସରେ କାମ ଶେଷ ହେବ ସେଥିପାଇଁ ଜୋରସୋରରେ କାମ କରୁଛୁ । ୨ ମାସ ପରେ ସେଠାରେ ଆଉ ଅଳିଆ ପକାଯିବ ନାହିଁ ।

ଏହା ବି ପଢନ୍ତୁ...‘ଗାଡକଣର ଅଳିଆ ପାହାଡକୁ ଲୁଚେଇବାକୁ ଟେକ୍ନୋଲୋଜିର ଗୋଲାପୀ ଗପ କହୁଛି ବିଏମସି’

"ଦରକାର ପଡିଲେ ଟିଟିଏସ୍ ଥିବା ଲ୍ୟାଣ୍ଡକୁ ଲ୍ୟାଣ୍ଡ ଫିନିଂ କିମ୍ବା ଏଗ୍ରିକଲଚର ଲ୍ୟାଣ୍ଡରେ ଲାଗିବ । ଏବେ ଟିଟିଏସରୁ ୱେଷ୍ଟ ପ୍ଲାଷ୍ଟିକ ଓ କପଡା ପ୍ରତିଦିନ ୫ଟି ଗାଡିରେ ରାଜଗାଙ୍ଗପୁର ସିମେଣ୍ଟ ଫ୍ୟାକ୍ଟ୍ରିକୁ ଯାଉଛି । ଆଉ ସେଠାରେ ତାକୁ ଫୁଏଲରେ ବ୍ୟବହାର କରାଯାଉଛି । ପ୍ରକ୍ରିୟାକରଣ ପାଇଁ ଗନ୍ଧ ହେଉଛି । ରାଜଧାନୀବାସୀ ଆମକୁ ଆଉ କିଛି ଦିନ ସହଯୋଗ କରନ୍ତୁ । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ" ବୋଲି କହିବା ସହ ଏହାକୁ ନେଇ ରାଜନୀତି ନକରିବାକୁ ବିଜେପିକୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details