ଭୁବନେଶ୍ବର:ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି । ଭୁବନେଶ୍ବର ମହାନଗର ନିଗମ (ବିଏମସି) ଏବଂ ଭୁବନେଶ୍ବର ବ୍ଲକ୍ ଅଧୀନରେ ମୋଟ ୪୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଯେଉଁଥିରେ ୧୧ ହଜାର ୫୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଥିଲା । ହେଲେ ଏଥିମଧ୍ୟରୁ ୨୨୫ ପିଲା ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି ।
ସମସ୍ତ ଅନୁପସ୍ଥିତ ରେଗୁଲାର ପିଲା । ପ୍ରଥମ ଦିନରେ ବିଏମସି ଏବଂ ଭୁବନେଶ୍ବର ବ୍ଲକ୍ ଅଧୀନ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୧୧ ହଜାର ୨୯୨ ପିଲା ପରୀକ୍ଷା ଦେଇଛନ୍ତି । ଅନ୍ୟପକ୍ଷରେ ୪ ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାରକୁ ମିଶାଇ ମୋଟ ୧୧,୨୯୬ ଛାତ୍ରଛାତ୍ରୀ ଏଠାରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୪୯ ପରୀକ୍ଷା କେନ୍ଦ୍ର ମଧ୍ୟରେ ଏସଭିଏମ ନୀଳାଦ୍ରୀବିହାର କେନ୍ଦ୍ରରେ ସର୍ବାଧିକ ୫୭୫ ପିଲା ପରୀକ୍ଷା ଦେଇଛନ୍ତି ।
ପ୍ରଥମ ଦିନର ପରୀକ୍ଷା ଶାନ୍ତିପୂର୍ଣ୍ଣ ରହିଥିବାବେଳେ ଭୁବନେଶ୍ବରରେ କପି ଧରାପଡ଼ିବା ସମ୍ପର୍କରେ ସୂଚନା ମିଳିନାହିଁ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିବାରୁ ୭ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିଥିଲା । ପିଲାମାନଙ୍କୁ ପ୍ରଥମ ଦିନରେ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଲାଗି ଅନୁମତି ମିଳିଥିଲା । ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିଥିଲା । କଡ଼ା ଚେକିଂ କରି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ଛଡ଼ାଯାଇଥିଲା ।