ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମକୁ ସୁନ୍ଦର କରିବା ପାଇଁ ବିଏମସିର ପ୍ରୟାସ ଜାରି ରହିଛି । ଏହି ପ୍ରୟାସକୁ ନେଇ ରାସ୍ତାଘାଟଠାରୁ ଆରମ୍ଭ କରି ପାର୍କ ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ କାମ ବିଏମସି ହାତକୁ ନେଇଛି । ବିଶେଷ କରି ଛକ ଜାଗାଗୁଡିକର ସୌନ୍ଦର୍ଯ୍ୟକରଣ ବେଶୀ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ମାଷ୍ଟର କ୍ୟାଣ୍ଟିନ୍ ଛକର ସୌନ୍ଦର୍ଯ୍ୟକରଣ କରାଯାଇଛି । ଭୁବନେଶ୍ୱରର ମୁଖଶାଳା କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ଭର୍ଟିକାଲ ଗାର୍ଡେନ ସହ ୱାଟର ଫାଉଣ୍ଟେନ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୪୫ ଲକ୍ଷ ଟଙ୍କା ।
ତେବେ ଏହି ବର୍ଷ ମୁକ୍ତା ଯୋଜନା ମାଧ୍ୟମରେ ସହରର ୧୦ ଟି ସ୍ଥାନକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଯାହାକି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମାଷ୍ଟର କ୍ୟାଣ୍ଟିନ ଏବେ ସେଲ୍ଫି ପଏଣ୍ଟ । ରାଜ୍ୟର ପ୍ରଥମ ଗ୍ରୀନୱାଲର ଠିକଣା ମାଷ୍ଟର କ୍ୟାଣ୍ଟିନ ଛକ ରେଳଷ୍ଟେସନ ନିକଟରେ ହୋଇଥିବାରୁ ଏହା ରାଜ୍ୟ ତଥା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଓଡ଼ିଶା ସରକାରଙ୍କର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ ଯୋଜନା ସହରକୁ ସଜେଇ ଚାଲିଥିବା ବେଳେ ଏହାର ସୌନ୍ଦର୍ଯ୍ୟ ଓ ସବୁଜୀକରଣ ଯୋଡି ହୋଇ ଚାଲିଛି ।