ଭୁବନେଶ୍ବର:ରାଜଧାନୀରେ ବର୍ଷା ବିପତ୍ତି । ଦୁଇ ଘଣ୍ଟାର ଅତି ପ୍ରବଳ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ ହୋଇପଡ଼ିଛି । ଏହା ଭିତରେ ଆସିଛି ଅନେକ ଅଘଟଣ ପରିସ୍ଥିତି । ଚନ୍ଦ୍ରଶେଖରପୁର ରେଳକୁଞ୍ଜ ସାମ୍ନାରେ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡ଼ି ବାଇକ ଆରୋହୀଙ୍କ ଉପରେ ପଡ଼ିଥିବା ସୂଚନା ମିଳିଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାସ୍ତା ଉପରେ ଗାଡ଼ି ମୋଟର ଭିଡ଼ ଥିବା ବେଳେ ରାସ୍ତା କଡ଼ରେ ଥିବା ବଡ଼ ଗଛଟି ଉପୁଡ଼ି ପଡ଼ିଥିଲା । ଏକ କାର ଉପରେ ପଡ଼ିଥିବା ବେଳେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସହରର ଅଧିକାଂଶ ଅଞ୍ଚଳରେ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା । ତଲିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଗୁଡ଼ିକରେ ପାଣି ଭର୍ତ୍ତି ହୋଇ କୃତ୍ତିକ ନଦୀ ସୃଷ୍ଟି କରିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ସହରର ରାସ୍ତା କଡ଼ରେ ଥିବା ବଡ଼ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଛି । ଗଛ ପଡ଼ିବା ଯୋଗୁଁ ଦୀର୍ଘ ସମୟ ରାସ୍ତା ବନ୍ଦ ଥିବାରୁ ଫାୟାର ଟିମ୍ ଓ ଟ୍ରାଫିକ ପୋଲିସ ମିଳିତ ଭାବେ ଗଛ କାଟି ରାସ୍ତା ସଫା କରିଛନ୍ତି । ଅନ୍ୟପଟେ ଏମ୍ସ ହସ୍ପିଟାଲରେ ପାଚେରୀ ଭୁଶୁଡ଼ିଲା ଯୋଗୁଁ ତିନିଜଣ ଚାପି ହୋଇ ରହିଥିଲେ । ଲଗାତାର ଦୁଇ ଘଣ୍ଟାର ପ୍ରବଳ ବର୍ଷା ହେବାରୁ ହଠାତ୍ ପାଚେରୀ ଭୁଶୁଡ଼ି ପଡ଼ିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଛି । ଏଥିରେ ସେମାନେ ସାମାନ୍ୟ ଆହାତ ହୋଇଥିବା ବେଳେ ସ୍ବସ୍ଥ୍ୟାବସ୍ଥା ସ୍ଥିର ରହିଛି ।