ଭୁବନେଶ୍ବର:ଶିକ୍ଷକଙ୍କୁ ମହଙ୍ଗା ପଡିଲା ବିନି ଅନୁମତିରେ ବିଦ୍ୟାଳୟ ନଆସିବା । ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକ ବର୍ଗର ୯୬ ଜଣ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।
ଡିସେମ୍ବର ୧୬ ଓ ୧୭ ତାରିଖ ସେଣ୍ଟ୍ରାଲ ଜୋନ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ପାଇଁ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ କର୍ମଶାଳାର ସମୀକ୍ଷା ବୈଠକରେ ଆଲୋଚନା ଚାଲିଥିବା ବେଳେ ବହୁ ଶିକ୍ଷକ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ସାମ୍ନାକୁ ଆସିଥିଲା । ତେଣୁ, ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।