କଲିକତା ବିମାନ ବନ୍ଦରରେ ପହଞ୍ଚିଲା ପ୍ରବାସୀ ମୃତଦେହ ଖୋର୍ଦ୍ଧା: ଓମାନର ମସ୍କଟରେ ଖାଲକୁ ଖସିଲା କମ୍ପାନୀ ବସ୍ । ଏହି ମର୍ମନ୍ତୁଦ ଦୁର୍ଘଟଣା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଏବଂ ୭ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ଉକ୍ତ ବସ୍ ମଧ୍ୟରେ ସର୍ବମୋଟ ୫୩ କମ୍ପାନୀ କର୍ମଚାରୀ ଥିଲେ । ଏହି ଘଟଣା ଗତ ଶୁକ୍ରବାର ଦିନ ଅର୍ଥାତ ୧୭ ତାରିଖ ଅପରାହ୍ନ ସମୟରେ ଘଟିଛି । ମୃତକ ୪ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ।
ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ତୁମୁରାପୁଟ ପଞ୍ଚାୟତ ର ମୁକ୍ତାଦେଇପୁର ଗ୍ରାମର ବାଲା ମୁଦୁଲି, ବାଲୁଗାଁ ଥାନା ଅଧିନସ୍ଥ ଆଙ୍କୁଲା ପଞ୍ଚାୟତର ପ୍ରାଣଦେଇପୁର ଗ୍ରାମର ତପନ ବେହେରା ଏବଂ ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ପଞ୍ଚାୟତ ର ରଘୁନାଥପୁର ସାହିର ମହେଶ୍ୱର ବେହେରା । ଆଜି ସମସ୍ତ ମୃତଦେହ କଲିକତା ବିମାନ ବନ୍ଦରରେ ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ପରିବାର ଲୋକେ ନିଜର ଭିଟାମାଟିକୁ ଆଣିବେ ବୋଲି ଜଣାପଡିଛି ।
ଗତ ଶୁକ୍ରବାର ଦିନ କମ୍ପାନୀ ଛୁଟି ଥିବା ଯୋଗୁଁ ଏହି ମୃତକ ମାନେ ନିଜର ଉପାର୍ଜିତ ଅର୍ଥ ନିଜର ପରିବାର ଲୋକଙ୍କ ପାଖକୁ ପଠାଇବା ପାଇଁ କମ୍ପାନୀ ବସ୍ ଯୋଗେ ବ୍ୟାଙ୍କକୁ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ବୋଲି ମୃତକଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ଏହି ମୃତକ ମାନେ ଓମାନ ର ଗଲଫର୍ ଇଞ୍ଜିନିୟରିଂ କଣ୍ଟ୍ରାଟିଂ SAOG କମ୍ପାନୀ ରେ କାର୍ଯ୍ୟ କରୁଥିଲେ । କ୍ୱାଂଟବ ଆକ୍ବବା ଆଲ୍-ବଷ୍ଟାନ-ୱାଡି ରୁ ଅଲ୍-କବିର ଯାଉଥିବା ବେଳେ ରୋଡ୍ ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।
ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବିରାଟକାୟ ଗର୍ତ୍ତକୁ ଖସି ପଡ଼ିଥିଲା ଏହି କମ୍ପାନୀ ବସ୍ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲା ରୟାଲ ଓମାନ ପୋଲିସ । ଗର୍ତ୍ତ ମଧ୍ୟରେ ଖସି ପଡିଥିବା ବସ୍ ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣ ଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ପରେ କମ୍ପାନୀ ପକ୍ଷରୁ ମୃତକ ମାନଙ୍କ ପରିବାର କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ମୃତକ ମାନେ ଦାଦନ ଖଟିବା ପାଇଁ ବିଦେଶ ଯାଇଥିଲେ ।
ଇଟିଭି ଭାରତ ଖୋର୍ଦ୍ଧା