ଓଡିଶା

odisha

ETV Bharat / state

ନାକ୍ ମାନ୍ୟତା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଅଧ୍ୟକ୍ଷ, ରିପୋର୍ଟ ତଲବ - ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ

ଅଛି କଲେଜ ହେଲେ ନାହିଁ ନାକ ମାନ୍ୟତା । ରାଜ୍ୟରେ ୯ଟି ବିଶ୍ବବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ନାକ ମାନ୍ୟତା ନାହିଁ । ଏନେଇ ରିପୋର୍ଟ ତଲବ କଲା ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ନାକ୍ ମାନ୍ୟତା ନେଇ କଲେଜଗୁଡିକୁ ରିପୋର୍ଟ ତଲବ
ନାକ୍ ମାନ୍ୟତା ନେଇ କଲେଜଗୁଡିକୁ ରିପୋର୍ଟ ତଲବ

By

Published : May 5, 2023, 2:07 PM IST


ଭୁବନେଶ୍ବର:ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ନାକ ମାନ୍ୟତା ନାହିଁ । ବର୍ଷ ବର୍ଷ ଧରି ବିନା ନାକ ମାନ୍ୟତାରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ଓଡି଼ଶାରେ 9ଟି ବିଶ୍ବବିଦ୍ୟାଳୟ ଓ 328ଟି ମହାବିଦ୍ୟାଳୟରେ ମାନ୍ୟତା ନାହିଁ । ଯାହାଫଳରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ସଠିକ ସମୟରେ ଅନୁଦାନ ମିଳିବାରେ ସମସ୍ୟା ହେଉଛି । ଏନେଇ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକୁ ରିପୋର୍ଟ ତଲବ କରାଯାଇଛି ।

ସମ୍ବଲପୁର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି ଯେ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକର ନାକ ମାନ୍ୟତା ନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବାରମ୍ବାର ବୈଠକ ସତ୍ତ୍ବେ ମଧ୍ୟ କୌଣସି ଅଗ୍ରଗତି ପରିଲକ୍ଷିତ ହୋଇନାହିଁ । ନାକ ମାନ୍ୟତା ପାଇଁ ମହାବିଦ୍ୟାଳୟ ହେଉ କି ବିଶ୍ଵବିଦ୍ୟାଳୟ ଏ ଦିଗରେ ସେଭଳି କିଛି ବି ତତ୍ପରତା ପ୍ରକାଶ ପାଉନାହିଁ । ଅଧିକାଂଶ ମହାବିଦ୍ୟାଳୟ ଅଧ୍ୟକ୍ଷ ସେମାନଙ୍କ ଶିକ୍ଷାନୁଷ୍ଠାନର ନାକ ମାନ୍ୟତା ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ।

କେତେକ କଲେଜରେ ନାକ ମାନ୍ୟତାର ବୈଧତା ସମାପ୍ତ ହୋଇଥିଲେ ବି ଅଧ୍ୟକ୍ଷମାନେ ପରବର୍ତ୍ତୀ ରାଉଣ୍ଡ ମାନ୍ୟତା ପାଇଁ ପଦ‌େକ୍ଷପ ଗ୍ରହଣ କରୁନାହାନ୍ତି । ଯାହାଫଳରେ ଭିତ୍ତିଭୂମି ବିକାଶ ପାଇଁ ଏହି ମହାବିଦ୍ୟାଳୟଗୁଡ଼ିକ ବିଭିନ୍ନ ଅନୁଦାନରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ନାକ ମାନ୍ୟତା ଉପରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଖୁବଶୀଘ୍ର ବସିବ । ଏନେଇ ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ନାକ ମାନ୍ୟତା ସଂକ୍ରାନ୍ତ ବିବରଣୀ ଆସନ୍ତା ୮ ତାରିଖ ସୁଦ୍ଧା ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସୂଚନା ଅନୁଯାୟୀ, ରାଜ୍ୟରେ ପଞ୍ଜୀକୃତ ହୋଇଥିବା ମୋଟ 517 ମହାବିଦ୍ୟାଳୟ ମଧ୍ୟରୁ 188 ମହାବିଦ୍ୟାଳୟ ନାକ ମାନ୍ୟତା ପାଇଛନ୍ତି । ବାକି ମହାବିଦ୍ୟାଳୟଗୁଡ଼ିକ କିଭଳି ନାକ ପାଇବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ରାଜ୍ୟରେ ଥିବା ମୋଟ 16ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ 7ଟି ବିଶ୍ୱବିଦ୍ୟାଳୟ ନାକ ମାନ୍ୟତା ହାସଲ କରିଛି । ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି, କଲେଜର ଭିତ୍ତିଭୂମି ସହ ଗବେଷଣା ଓ ଶିକ୍ଷକ ଅଭାବ ଲାଗି ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ନାକ ମାନ୍ୟତା ହାସଲ କରିପାରୁନାହାନ୍ତି ।

ରାଜ୍ୟରେ ଥିବା 188 ମହାବିଦ୍ୟାଳୟ ଗୁଡିକର ଜିଲ୍ଲାସ୍ତରର ତଥ୍ୟକୁ ଦେଖିଲେ ନବରଙ୍ଗପୁର ଜିଲ୍ଲାରେ କୌଣସି ଗୋଟିଏ ବି ମହାବିଦ୍ୟାଳୟ ନାକର ମାନ୍ୟତା ପାଇପାରିନାହିଁ । ସେହି ଭଳି କଟକ ଜିଲ୍ଲାରେ ସର୍ବାଧିକ 23ଟି ମହାବିଦ୍ୟାଳୟ ନାକ ମାନ୍ୟତା ପାଇଛି । ମୟୂରଭଞ୍ଜ 18ଟି, ଖୋର୍ଦ୍ଧା ଜିଲ୍ଲାରେ 10ଟି, ବାଲେଶ୍ବର ଜିଲ୍ଲାରେ 14ଟି, ଗଞ୍ଜାମ ଜିଲ୍ଲାରେ 16ଟି, ଯାଜପୁରରେ 12, ଢ଼େଙ୍କାନାଳରେ 10, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ 9, କେନ୍ଦ୍ରାପଡ଼ାରେ 8, ନୟାଗଡ଼, ପୁରୀ ଓ ଭଦ୍ରକ ଜିଲ୍ଲାରେ 7ଟି, ଅନୁଗୋଳ ଜିଲ୍ଲାରେ 6, ଜଗତସିଂହପୁର ଓ ସମ୍ବଲପୁର ଜିଲ୍ଲାରେ 4, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ 3, ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡିି, ନୂଆପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ 2ଟି ଲେଖାଏଁ ମହାବିଦ୍ୟାଳୟ ନାକ ମାନ୍ୟତା ହାସଲ କରିଛନ୍ତି ।

ଦେବଗଡ଼, କନ୍ଧମାଳ, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ଲେଖାଏଁ ମହାବିଦ୍ୟାଳୟର ନାକର ମାନ୍ୟତା ପାଇଛନ୍ତି । ଏପଟେ ବିଶ୍ୱବିଦ୍ୟାଳୟ ତଥ୍ୟ ଦେଖିଲେ କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ନାକ ମାପଦଣ୍ଡକୁ ପୂର୍ଣ୍ଣ ମାତ୍ରାରେ ପୂରଣ କରି ପାରିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details