ଭୁବନେଶ୍ବର:ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ । ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଛି । କଂଗ୍ରେସ ଶୃଙ୍ଖଳ କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠନ ହୋଇଛି । ଦୁଇ ଦିନ ତଳେ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ସଫା ସଫା କହିଥିଲେ ମନ୍ମଥ । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରେ ନହେବା ନେଇ ଗଣମାଧ୍ୟମ ଆଗରେ କହିଥିଲେ । ଏନେଇ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏହାର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।
ମନ୍ମଥ ରାଉତରାୟ ଏବେ ପ୍ରଦେଶ କଂଗ୍ରେସର ସଦସ୍ୟ ଅଛନ୍ତି । ତେଣୁ ଦଳର ଶୃଙ୍ଖଳା ଭଙ୍ଗ କରିଥିବା କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସେ କିଛି ଦିନ ପୂର୍ବରୁ ଭାରତୀୟ ବିମାନ ଚଳାଚଳ ବିଭାଗରୁ ଇସ୍ତଫା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କର ଇସ୍ତଫା ଗୃହୀତ ହେବା ପରେ ସେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ । ତା' ପୂର୍ବରୁ ଜଟଣୀ ବିଧାନସଭା କ୍ଷେତ୍ରରେ ସେ ସୁର ରାଉତରାୟଙ୍କ ସହ ମିଶି ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ ।
ପୁଅର ନିଲମ୍ବନ ନେଇ ସୁର ରାଉତରାୟ କହିଛନ୍ତି, ''ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଂଗ୍ରେସ ଦଳର ସଚ୍ଚୋଟ ନେତା ଭାବେ ମୁଁ ଏହାକୁ ଗ୍ରହଣ କରୁଛି । ହେଲେ ଏଥିରେ ମୁଁ ମଧ୍ୟ ଦୁଃଖିତ । କଂଗ୍ରେସ ଦଳ ଆମ କଥା ବିଚାର କରିବେ ବୋଲି ମୁଁ ଆଶା କରୁଛି ।'' ଆହୁରିମଧ୍ୟ କହିଛନ୍ତି ଯେ, ମୋ ପରିବାରରେ କୌଣସି ମନାନ୍ତର ନାହିଁ । ସାନ ପୁଅ ମନ୍ମଥ ଜଟଣୀରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ । ମୁଁ ଯେତେବେଳେ ପୁଅମାନଙ୍କୁ ଯାହା କହିବେ ସେ ନିଶ୍ଚୟ ଶୁଣିବେ ।