ଆସନ୍ତାକାଲି ରାଜ୍ୟବ୍ୟାପୀ ମହିଳା କଂଗ୍ରେସର ବିକ୍ଷୋଭ ଭୁବନେଶ୍ବର: ଆସନ୍ତାକାଲି ମହିଳାଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇବ ମହିଳା କଂଗ୍ରେସ । ଜୁଲାଇ 28ରେ ଓଡ଼ିଶାରେ ପ୍ରତିଫଳିତ ହେବ ମଣିପୁର ନିଆଁ । ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚୁପ ରହିଥିବା ବେଳେ ଏହି ଲୋମହର୍ଷଣକାରୀ ଘଟଣାକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇବ ମହିଳା କଂଗ୍ରେସ । ସେପଟେ ବିଳମ୍ବରେ ହେଲେ ମଧ୍ୟ ଏହି ପ୍ରସଙ୍ଗରେ ମହିକା କଂଗ୍ରେସ ସ୍ବର ଉତ୍ତୋଳନକୁ ସ୍ବାଗତ କରିଛନ୍ତି ରାଜନୈତିକ ସମୀକ୍ଷକ ।
ଜଙ୍ଗଲି ନିଆଁ ଭଳି ରାଜ୍ୟକୁ ରାଜ୍ୟ ବ୍ୟାପୁଛି ମଣିପୁର ନିଆଁ । ମଣିପୁର ସାମ୍ପ୍ରଦାୟିକ ଦଙ୍ଗାରେ 3 ମହିଳାଙ୍କୁ ଅମାନବୀୟ ଗଣଧର୍ଷଣ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ବୁଧବାର ଦିନ ଏହି ଘଟଣାରେ ମହିଳା କଂଗ୍ରେସ ପକ୍ଷରୁ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରାଯାଇଥିଲା । ଏହି ଲୋମହର୍ଷଣକାରୀ ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅହେତୁକ ନୀରବତା କୁ ନେଇ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ଏହି ପ୍ରସଙ୍ଗକୁ ବ୍ୟାପକ କରିବା ପାଇଁ ଶୁକ୍ରବାର ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା କହିଛନ୍ତି ।
ଏହାବି ପଢନ୍ତୁ- ଭୁବନେଶ୍ବରରେ ମଣିପୁର ତାତି, ରାଜ୍ୟ ମହିଳା କଂଗ୍ରେସର ପ୍ରତିବାଦ
ମଣିପୁର ହିଂସାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି । ଏହାର ପ୍ରତିବାଦରେ ଆସନ୍ତାକାଲି ସବୁ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରିବ ମହିଳା କଂଗ୍ରେସ । ଦଳ ମତ ନିର୍ବିଶେଷରେ ସମସ୍ତେ ମହିଳାଙ୍କ ପ୍ରତି ହୋଇଥିବା ଏହି ନିନ୍ଦନୀୟ ଘଟଣାକୁ ବିରୋଧ କରି ଏହି ଆନ୍ଦୋଳନରେ ସାମିଲ ହେବାକୁ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଅନୁରୋଧ କରିଛନ୍ତି ।
ସେପଟେ ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତରେ ଏଭଳି ଅମାନବୀୟ ଘଟଣାରେ କଂଗ୍ରେସର ପ୍ରତିବାଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଗତ ମେ' 3 ତାରିଖ ମଣିପୁରରେ ସାମ୍ପ୍ରଦାୟିକ ଘଟଣା ଘଟିଥିଲା । କୁକି ଓ ମୈତେଇ ସମ୍ପ୍ରଦାୟ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । 3 ଜଣ କୁକି ସମ୍ପ୍ରଦାୟର ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ପୋଲିସ ହେଫାଜାତରୁ ଛଡାଇ ନେଇ ଏହି 3 ମହିଳାଙ୍କୁ ନିର୍ବସ୍ତ୍ର କରି ହଜାରହଜାର ଲୋକଙ୍କ ସାମ୍ନାରେ ଚଲାଇ ଚଲାଇ ନିଆଯାଇଥିଲା । ମହିଳାଙ୍କ ପରିବାର ପକ୍ଷରୁ ପ୍ରତିବାଦ କରିବାରୁ ପରିବାର ସଦସ୍ୟଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ହତ୍ୟା କରାଯାଇଥିଲା । ଏହି ଗୋଷ୍ଠୀ ସଂଘର୍ଷ ପରବର୍ତ୍ତୀ ସମୟରେ ଦଙ୍ଗାର ରୂପ ନେଇଥିଲା । ଏହି ଘଟଣାରେ ମଣିପୁର ସରକାର ଓ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି । ଦଙ୍ଗାର ନଗ୍ନଚିତ୍ର ସୋସିଆଲ ମିଡିଆରେ ଭାଇରଲ ହେବାପରେ ଦେଶ ବ୍ୟାପି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଇଟିଭି ଭାରତ, ଭୁବନେଶ୍ବର