ଭୁବନେଶ୍ବର: ଧାନ କିଣା ଦୁର୍ନୀତିରେ ସରକାରୀ ଅଫିସର ସଂପୃକ୍ତ ଅଛନ୍ତି । ସାରା ରାଜ୍ୟରେ ଧାନ କିଣାକୁ ନେଇ ଏକ ର୍ୟାକେଟ କାମ କରୁଛି । ଚାଷୀ ବୋନସ ଦେଲେ ଯାଇ ତାଙ୍କୁ ଧାନ ଉଠୁଛି । ପ୍ରତି କ୍ବୁଇଣ୍ଟାଲ ପିଛା ଅତିକମରେ 5 କେଜି ଧାନ କଟାଯାଉଛି । ଏବେବି ଅନେକ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନାହଁ । ମଣ୍ଡି ଅବ୍ୟବସ୍ଥାରେ ଚାଷୀ ପେଶୀ ହୋଇଗଲେଣି । କେନ୍ଦ୍ର ସରକାର କ୍ବୁଇଣ୍ଟାଲ ପିଛା 2040 ଟଙ୍କା ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଏଜେନ୍ସୀ ଏଠା ଚାଷୀଙ୍କୁ ଲୁଟିବାରେ ଲାଗିଛି । ମିଲର୍ସ ମାନଙ୍କ ଠାରୁ ବିଜୁ ଜନତା ଦଳ ହଜାରେ କୋଟି ପାର୍ଟି ଫଣ୍ଡ ଆଦାୟ କରୁଛି । ସେହି ଟଙ୍କା ମିଲର୍ସଙ୍କ ଜରିଆରେ ଚାଷୀଙ୍କ ଠାରୁ ଶୋଷୁଛନ୍ତି ରାଜ୍ୟ ସରକାର ।
ଆଜି ଏଭଳି ଏକାଧିକ ସାଂଘାତିକ ଅଭିଯୋଗ କରି ପ୍ରେସମିଟ କରିଛି ଭାରତୀୟ ଜନତା ପାର୍ଟି ବିଜେପି । ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ‘‘ଧାନ କିଣା ଦୁର୍ନୀତିରେ ଯେଉଁ ସରକାରୀ ଅଫିସର ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରାଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ଧାନ କିଣାରେ ଅନିୟମିତତା ହେଉଛି ବୋଲି ଅଭିଯୋଗ ଆସିଛି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଚେଲା ଓ ଠିକାଦାର ମାନେ ଧାନ କିଣୁଛନ୍ତି । ମନଇଛା କଟନୀ ଛଟନି କରୁଛନ୍ତି।ସରକାର ମିଲର୍ସଙ୍କ ସହଭାଗିତାରେ ଧାନ କିଣାରେ କୋଟି କୋଟି ଟଙ୍କା ହଡ଼ପ ହେଉଛି । ବିଜୁ ଜନତା ଦଳ ହଜାରେ କୋଟି ଟଙ୍କା ମିଲର୍ସ ମାନଙ୍କ ଠାରୁ ପାର୍ଟି ଫଣ୍ଡ ଆଦାୟ କରୁଛି । ଗଞ୍ଜାମ ଜିଲ୍ଲାର ଶିବରାମ ପାତ୍ରଙ୍କ ଦଣ୍ଡକାଳୀ ରାଇସ ମିଲ ଏବଂ ମାଆ ଦକ୍ଷିଣକାଳୀ ମଡର୍ଣ୍ଣ ରାଇସ ମିଲର ମାଲିକ ମାନେ କିଏ ? ବୋଲି ବିଜେପି ପ୍ରଶ୍ନ କରିଛି । ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହ ଏମାନଙ୍କ ସମ୍ପର୍କ କଣ ? ଏମାନେ ଗଞ୍ଜାମ ଜିଲ୍ଲାରେ PDS ଚାଉଳ ସପ୍ଲାଇ କରନ୍ତି ।’’