ଖୋର୍ଦ୍ଧା: ଫିଟୁଛି ମାନବବାଦ ସଙ୍ଗଠନର ଗୋଟିଏ ପରେ ଗୋଟିଏ ଅପରାଧିକ ଗୁମର । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବାପାପୁଅଙ୍କ ଉପରେ ସଙ୍ଗଠନର ବର୍ବରତା ପରେ ଏବେ ସାମ୍ନାକୁ ଆସିଛି ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ଅନେକ ସାଙ୍ଘାତିକ ଅଭିଯୋଗ । ଯାହା ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ପାଇଁ ବଢାଇଛି ଅଡୁଆ । ଗୋଟିଏ ପଟେ ମାନସଙ୍କ ଗିରଫଦାରୀ ପାଇଁ ଦାବି ଜୋର ଧରିଥିବାବେଳେ ଅନ୍ୟପଟେ ନିଜ ଉପରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ ଦାସ ।
ମାନସ କହିଛନ୍ତି, କୌଣସି ମାରପିଟ୍ କିମ୍ବା ହତ୍ୟା ଘଟଣାରେ ତାଙ୍କର ସମ୍ପୃକ୍ତି ନାହିଁ । ଯାହା ବି ଅଭିଯୋଗ ହୋଇଛି ସେ ସବୁ ମିଥ୍ୟା । ଆଜି(ମଙ୍ଗଳବାର) କୌଣସି କାମରେ ଖୋର୍ଦ୍ଧା କୋର୍ଟକୁ ଆସିଥିବାବେଳେ ମାନସ ଦାସ ଗଣମାଧ୍ୟମ ଆଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ସେ ବାଘମାରି ଚୋତିପାଳଙ୍ଗ କେସରେ ହାଇକୋର୍ଟରୁ ବେଲ୍ ପାଇଥିବା ମଧ୍ୟ କହିଛନ୍ତି । ହେଲେ କ'ଣ ପାଇଁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇଥିଲା ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି ।