ନିଆଳି: ଦଇବର ଲୀଳା ବଡ ବିଚିତ୍ର । କିଏ ଟଙ୍କା ଗଦା ଉପରେ ଶୋଉଛି ତ ଆଉ କିଏ ଅର୍ଥ ଅଭାବରୁ ଜୀବନ ସହ ସଂଗ୍ରାମ କରୁଛି । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ସଞ୍ଜୟ କୁମାର ଭୋଇ । ଦିନେ ସଞ୍ଜୟ ବାହାର ରାଜ୍ୟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ ଓ ଛୁଆକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡେ ତାଙ୍କ ଉପରେ ଛିଡିପଡିଲା । ବୋନ ଟ୍ୟୁମର, କିଡନୀ, ଲିଭର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ସଞ୍ଜୟ । ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ର ପଞ୍ଚାୟତର ତୋଟାସାହି ଗାଁର ସଞ୍ଜୟ କୁମାର ଭୋଇ । ବୟସ ୪୧ ବର୍ଷ । ବିଧବା ମାଆ, ସ୍ତ୍ରୀ ଓ ଚାରି ବର୍ଷର ପୁଅକୁ ନେଇ ତାଙ୍କର ପରିବାର । ସଞ୍ଜୟ ରାଜ୍ୟ ବାହାରେ ଦାଦନ ଶ୍ରମିକ ଖଟିବା ପାଇଁ ଯାଇଥିଲେ । ତା' ପରେ ଘରକୁ ଫେରିବା ପରେ ଏକାଥରେ ବୋନ ଟ୍ୟୁମର, କିଡନୀ, ଲିଭର, ମୃତ୍ରାଶୟ ଆଦି ୬ ପ୍ରକାର ରୋଗରେ ଆକ୍ରାନ୍ତ ଥିବାର ଜଣାପଡିଲେ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟବୀମା କାର୍ଡରେ ମାଗଣାରେ ଚିକିତ୍ସା କରିଥିଲେ । କିନ୍ତୁ କିଛି ସୁଫଳ ମିଳିଲାନି । ଏବେ ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ ଏହି ଗରୀବ ପରିବାର ପାଖରେ ବା ଏତେ ଟଙ୍କା ଆସିବ କେଉଁଠୁ । ତେଣୁ ଏବେ ଭାଗ୍ୟକୁ ନିନ୍ଦି ପଡି ରହିଛନ୍ତି ପୁରା ପରିବାର ।