ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨(Make In Odisha Conclave 2022) । ଭୁବନେଶ୍ବରର ଜନତା ମଇଦାନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଶିଳ୍ପଭିତ୍ତିକ କାର୍ଯ୍ୟକ୍ରମ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେ ଜନତା ମଇଦାନ ପରିଦର୍ଶନ କରିଛନ୍ତି । ଏହାସହିତ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଓ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ଲେନେରୀ ହଲ, ବୈଠକ ସ୍ଥାନ, ମିଡ଼ିଆ ଲାଉଞ୍ଜ, ପ୍ରଦର୍ଶନୀ ଷ୍ଟଲ ଓ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରସ୍ତୁତିକୁ ସେ ବୁଲି ଦେଖିଛନ୍ତି ।
ହାଇପ୍ରୋଫାଇଲ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଦ୍ୟୁତ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୨୪ ଘଣ୍ଟା ସତର୍କ ରହିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଟି ସଂସ୍କରଣ ତୁଳନାରେ ଏଥର ଅଧିକ ନିବେଶ ପାଇଁ ପ୍ରସ୍ତାବ ମିଳିବା ନେଇ ଆଶା ରଖିଛନ୍ତି ସରକାର । ଏଥିପାଇଁ ଭୁବନେଶ୍ୱର ଜନତା ମଇଦାନରେ ଭବ୍ୟ ଆୟୋଜନ କରାଯାଇଛି । ଏଥିରେ ଦେଶ ବିଦେଶରୁ ଶିଳ୍ପପତିମାନେ ଯୋଗ ଦେଇ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ ।