ଭୁବନେଶ୍ବର: ମେକ ଇନ ଓଡିଶା କନକ୍ଲେଭ ୨୦୨୨ ର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୮୯୦ କୋଟି ଟଙ୍କା ମୂଲ୍ୟର ୩୨୫ଟି ଆଗ୍ରହପତ୍ର ପ୍ରାପ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । ଶିଳ୍ପ ସଚିବ କହିଛନ୍ତି ଯେ, ଆଜି ଏକ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ୧୮୦ ଟି ଆଗ୍ରହପତ୍ର ପ୍ରାପ୍ତ ହୋଇଛି । ଏହା ଫଳରେ ୩ ଲକ୍ଷ ୭୮ ହଜାର ୪୪୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ରାପ୍ତ ୧୮୦ଟି ଆଗ୍ରହପତ୍ର ମଧ୍ୟରେ ୪୬ଟି ଖଣି ଓ ଖଣିଜଜାତ, ୪୩ଟି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ସୂଚନା ପ୍ରଯୁକ୍ତି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି ରସାୟନ ଓ ପ୍ଲାଷ୍ଟିକ, ୯ଟି ବୟନ ଓ ପୋଷାକ, ୧୪ଟି କୃଷି ବ୍ୟବସାୟ ଓ ୫ଟି କୃଷି ବିପଣନ ରହିଛି । ଗୁରୁବାର ଓ ଶୁକ୍ରବାର ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସର୍ବମୋଟ ୪ଟି ପ୍ରକଳ୍ପର ଭିତ୍ତି ସ୍ଥାପିତ ହୋଇଛି । ଏଥିରେ ୪୪୨୩ କୋଟି ୫୧ ଲକ୍ଷ ଟଙ୍କା ବିନିଯୋଗରେ ୧୪୨୭୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସ୍ଥାପିତ ଭିତ୍ତିପ୍ରସ୍ତର ମଧ୍ୟରେ ରହିଛି ବାର୍ଷିକ ୨.୨ ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କଟକସ୍ଥିତ ଅଲଟ୍ରାଟେକ ସିମେଣ୍ଟ, ଜୟଭାରତ ସ୍ପାଇସେସର କଟକସ୍ଥିତ ଶୀତଳଭଣ୍ଡାର, ପ୍ଲାଷ୍ଟିକ ପାଇପ ଓ ଫିଟିଂ ଉତ୍ପାଦନକାରୀ ଏସଟ୍ରାଲର କଟକ କାରଖାନା ଏବଂ ଖୋର୍ଦ୍ଧାସ୍ଥିତ ବ୍ରିଟାନିଆ ବିସ୍କୁଟ କାରଖାନାର ସଂପ୍ରସାରଣ ।