ଖୋର୍ଦ୍ଧା:ହଟିଛି କଟକଣା ଆଉ ବିଭିନ୍ନ ସ୍ଥାନରେ ଆରମ୍ଭ ହେଉଛି ମେଳା ମହୋତ୍ସବର କାର୍ଯ୍ୟକ୍ରମ । ଦୀର୍ଘ ଦୁଇ ବର୍ଷ ଧରି କୋରୋନା କଟକଣା ପାଇଁ ବିଭିନ୍ନ ସ୍ଥାନରେ ମହୋତ୍ସବ ବନ୍ଦ ରହିଥିଲା । ସେହିପରି ଦୁଇ ବର୍ଷ ହେବ ବନ୍ଦ ଥିବା ଅଟ୍ରି ମକର ମହୋତ୍ସବ ଚଳିତ ବର୍ଷ ବେଶ ଜାକଜକମରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଅଟ୍ରି ହଟ୍ଟକେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିସହ ସ୍ଥାନୀୟ ବିଡିଓ ତଥା ତହସିଲଦାର ଦାୟିତ୍ବ ଥିବା ଲକ୍ଷ୍ମୀଧର ସାହୁ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ସହ ସେବାୟତାମାନେ ସାମିଲ ହୋଇଥିଲେ । ତେବେ ଆସନ୍ତା ୨୦୨୩ ଜାନୁଆରୀ ୧୪ ତାରିଖରେ ଦିନଠାରୁ ଏହି ମକର ମହୋତ୍ସବ ଅନୁଷ୍ଠିତ ହେବ । ମହୋତ୍ସବରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେବ । ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମହୋତ୍ସବର ପ୍ରତ୍ୟକ ସନ୍ଧ୍ୟାରେ ଲୋକକଳା, ସଂସ୍କୃତି ଓ ପରମ୍ପରା ଭିତ୍ତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ପ୍ରତିଦିନ ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।