ଭୁବନେଶ୍ବର:ରାଜ୍ୟ ସରକାର ବରିଷ୍ଠ OAS ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ୧୪ ଜଣ OAS ଅଫିସରଙ୍କୁ ଅଦଳବଦଳ କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗଙ୍କ ସଚିବ ତଥା ବରିଷ୍ଠ OAS ପ୍ରମୋଦ କୁମାର ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଅନ୍ୟ ଜଣେ ବରିଷ୍ଠ OAS ରାମଚନ୍ଦ୍ର ପାଲଟାଙ୍କୁ ତାଙ୍କ ସ୍ଥାନକୁ ପଠାଯାଇଛି । ରାମଚନ୍ଦ୍ର ଏବେ କଟକରେ ଅତିରିକ୍ତ ଅବକାରୀ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ରାମଚନ୍ଦ୍ର ଲୋକସେବା ଆୟୋଗଙ୍କ ସଚିବ ଦାୟିତ୍ବ ତୁଲାଇବେ । OAS ଅଧିକାରୀଙ୍କ ଅଦଳବଦଳ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହାମଧ୍ୟ ପଢନ୍ତୁ: CMO Team USA Visit; ଆପଲ, ଗୁଗୁଲ, ମେଟା ଓ ଭିସା କମ୍ପାନୀ ସହ ଆଲୋଚନା କରିବେ ରାଜ୍ୟ ପ୍ରତିନିଧି
ବିଜ୍ଞପ୍ତି ଅନୁସାରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ତାଳଚେର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ରଥଙ୍କ ପୂର୍ବ ବଦଳିକୁ ବାତିଲ କରି ତାଙ୍କୁ ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣ ଯୁଗ୍ମ କମିଶନର ଭାବେ ନିଯୁକ୍ତି ମିଳିଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସିକା ଚିନି ସମବାୟ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଶୁଭେନ୍ଦ୍ର କୁମାର ସାମଲଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ତାଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେହିପରି ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଦିବ୍ୟଲୋଚନ ମହାନ୍ତଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି ।