ଭୁବନେଶ୍ବର: ଗାଁ ଓ ପଞ୍ଚାୟତରେ ବୁଲିବେ ମହିଳା । ନାରୀକୁ ସୁରକ୍ଷା ଦେବାକୁ ଓ ନାରୀକୁ ସଶକ୍ତ ହେବାକୁ ଦେବେ ବାର୍ତ୍ତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଗାଁ ଗାଁ ବୁଲିବେ ମହିଳା କଂଗ୍ରେସ କର୍ମୀ ଓ ନେତା । ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ଭବନ କାର୍ଯ୍ୟାଳୟରେ ନବ ନିଯୁକ୍ତ ସମସ୍ତ ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ଓ ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମହିଳା କଂଗ୍ରେସ ଗାଁ ଗାଁ ବୁଲି ସରକାରଙ୍କ ବିଫଳତା ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ମହିଳା କଂଗ୍ରେସ ରାଜ୍ୟ, ଜିଲ୍ଲା, ପଞ୍ଚାୟତ ଓ ବୁଥ ସ୍ତରରେ ସଂଗଠନ ଉପରେ ଦିଗ ଦର୍ଶନ ଦେଇଥିଲେ ।
ଗାଁକୁ ଗାଁ ବୁଲିବେ ମହିଳା କଂଗ୍ରେସ କର୍ମୀ । ମୋଦି ଓ ନବୀନ ସରକାରର ବିଫଳତା ବିରୋଧରେ ହେବ ଫେରାଦ । ମହିଳା ନିର୍ଯାତନା, ହିଂସା, ଆଶା, ଅଙ୍ଗନୱାଡି, ପାଚିକା ଓ ଗାଁ ସାଥି ସମସ୍ୟା, ପ୍ରଶାସନିକ ସ୍ଥାଣୁତା, ଆବାସ କେଳେଙ୍କାରୀ ଏବଂ ଶିଶୁ ଶ୍ରମିକ ଆଦି ପ୍ରସଙ୍ଗରେ ଲୋକଙ୍କୁ ଭେଟିବେ ମହିଳା କଂଗ୍ରେସ କର୍ମକର୍ତ୍ତା । ଗ୍ୟାସ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ ଆକାଉଣ୍ଟକୁ ୧୫ ଲକ୍ଷ, ବର୍ଷକୁ ୨ କୋଟି ଚାକିରି କୁଆଡେ ଗଲା ବୋଲି କେନ୍ଦ୍ରକୁ ପ୍ରଶ୍ନ କରି ଲୋକଙ୍କୁ ଅବଗତ କରାଇ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିବ ମହିଳା କଂଗ୍ରେସ । ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ମହିଳା କଂଗ୍ରେସ ସଭାପତିଙ୍କୁ ନେଇ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:Onion Price Hike: ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ