ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ଅନୁଷ୍ଠିତ ହୋଇଛି ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ମହିଳା ସଂଗଠନକୁ ମଜବୁତ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଭିସି ଜରିଆରେ ଯୋଡି ହୋଇ ମହିଳାଙ୍କୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଗତ ନିର୍ବାଚନ ଓ କୋଭିଡ ସମୟରେ ମା' ମାନେ କରିଥିବା କାମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନବୀନ । ମହିଳା ସଂଗଠନ ମଜବୁତ ପାଇଁ ୱାର୍ଡ ଠାରୁ ବ୍ଲକ କମିଟି ଗଢ଼ିବ ମହିଳା ବିଜୁ ଜନତା ଦଳ । ମହିଳା ସଂରକ୍ଷଣ ବିଲକୁ ନେଇ ଗାଁଠୁ ସଂସଦ ଲଢ଼ିବ ବିଜେଡି । ସେହିପରି ଓଡ଼ିଶା ପ୍ରତି ଅବିଚାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ମହିଳା ବିଜେଡି । ମା'ମାନେ ଗାଁର ଦାୟିତ୍ବ ନେଥିବାବେଳେ ମିଶନ ଶକ୍ତି ମା'ଙ୍କ ଶକ୍ତି କେନ୍ଦ୍ର ହୋଇଛି ।
ଏହାବି ପଢନ୍ତୁ- ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ
ଶଙ୍ଖ ଭବନରେ ଆଜି ଆୟୋଜିତ ହୋଇଛି ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମନ୍ତ୍ରୀ, ସାଂସଦ, ବିଧାୟିକାଙ୍କ ସମେତ ଦଳର ବହୁ ବରିଷ୍ଠ ନେତ୍ରୀ ସାମିଲ ହୋଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେଠାରୁ ମହିଳା ସଂଗଠନକୁ କିଭଳି ଅଧିକ ମଜବୁତ କରାଯିବ ସେନେଇ ପ୍ରସ୍ତୁତ ହୋଇଛି ଖସଡ଼ା । ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ଆହୁରି ମଜବୁତ ଏବଂ ସଶକ୍ତ କରିବା ପାଇଁ ସମସ୍ତଙ୍କୁ ନେଇ ଏକ ବ୍ୟାପକ ଆଲୋଚନା ହୋଇଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ, ସାଂସଦ, ବିଧାୟିକା ପ୍ରମୁଖ ଅଭିଭାଷଣ ରଖିଛନ୍ତି ।
ଭିସି ଜରିଆରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ମହିଳା ସଶକ୍ତିକରଣ ମୋ ହୃଦୟର ନିକଟତର । ମୁଁ ସବୁବେଳେ କହି ଆସିଛି ଏବଂ ଏହା ମୋର ଦୃଢ ବିଶ୍ବାସ ଯେ ମା' ମାନଙ୍କ ସଶକ୍ତିକରଣ ବିନା କୌଣସି ସମାଜ, କୌଣସି ରାଜ୍ୟ ବା ଦେଶ କେବେ ଆଗକୁ ଯାଇ ପାରିବ ନାହିଁ । ମହିଳା ସଶକ୍ତିକରଣ ଆମ ପାଇଁ ଏକ ସ୍ଲୋଗାନ ନୂହେଁ । ଏହା ଆମ ପ୍ରଗତିର ମନ୍ତ୍ର । ଖୁସିର କଥା, ଆଜି ଆମ ଓଡ଼ିଶାର ମା ମାନେ ସଶକ୍ତ ହେଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ଦୃଶ୍ୟମାନ ହୋଇଛି । ସେମାନେ ଏବେ ଓଡ଼ିଶାର ବିକାଶରେ ସମ ଭାଗୀଦାର । ମା'ମାନେ ଏବେ ଗାଁ ଗାଁରେ ନେତୃତ୍ୱ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ମଧ୍ୟ ବୁଝୁଛନ୍ତି । ମିଶନ ଶକ୍ତି ଆଜି ମା'ମାନଙ୍କର ଶକ୍ତି କେନ୍ଦ୍ର ହୋଇପାରିଛି ।