ଓଡିଶା

odisha

ETV Bharat / state

କେତେବେଳେ କେଉଁଠି ଉଦୟ ହେଉଛନ୍ତି ରାଜନେତା: କେବେ କଂଗ୍ରେସରେ, କେବେ ବିଜେଡିରେ ମହେନ୍ଦ୍ର ନାୟକ - କଂଗ୍ରେସ ବିଧାୟକ ତାରା ବାହିନୀପତି

ଗତକାଲି କଂଗ୍ରେସ କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କ ପାଖରେ ଛିଡ଼ା ହୋଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ନେତା ମହେନ୍ଦ୍ର ନାୟକ ଆଜି ବିଜେଡିରେ । ରାଜ୍ୟ ସରକାରଙ୍କ ପ୍ରଶଂସାରେ ଶତମୁଖ ମହେନ୍ଦ୍ର ଝାରସୁଗୁଡ଼ାରେ ଦୀପାଳିଙ୍କୁ ବିଜୟୀ କରିବାକୁ ପ୍ରତିଜ୍ଞା କରିଛନ୍ତି । ତେବେ ସେ ଦଳ ଛାଡ଼ିଥିବାରୁ ଦଳର ଭୋଟ ବଢ଼ିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଅଧିକ ପଢ଼ନ୍ତୁ

ରାତିରେ କଂଗ୍ରେସ, ସକାଳେ ବିଜେଡି
ରାତିରେ କଂଗ୍ରେସ, ସକାଳେ ବିଜେଡି

By

Published : Apr 21, 2023, 9:10 PM IST

ରାତିରେ କଂଗ୍ରେସ, ସକାଳେ ବିଜେଡି

ଭୁବନେଶ୍ବର: ସମ୍ପ୍ରତି ରାଜନୀତିରେ ବଡ଼ ଓ ଆଶ୍ଚର୍ଯ୍ୟ କରିବା ପରି ନୂଆକଥା କିଛି ନାହିଁ । ସେହିପରି ରାଜନୀତିରେ ଦଳ ବଦଳ ଏକ ନିରନ୍ତର ପ୍ରକ୍ରିୟା ବୋଲି ଅନେକ ରାଜନୈତିକ ବ୍ୟକ୍ତି କୁହନ୍ତି । ବିଶେଷ କରି ନିର୍ବାଚନ ସମୟରେ ଏହା ନିତିଦିନିଆ ଘଟଣା । ଗୋଟେ ରାଜନୈତିକ ଦଳ ଲାଗି ପ୍ରଚାର କରି ତା ପରଦିନ ଆଉ ଏକ ରାଜନୈତିକ ଦଳରେ ସାମିଲ ହେବା କଥା ନୂଆ ଘଟଣା ହୋଇ ରହିନାହିଁ । ଯାହା ଓଡ଼ିଶା ରାଜନୀତିରେ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ରାଜନେତାଙ୍କ ଆଚରଣ ଓ ଉଚ୍ଚାରଣ କିପରି ରାତିକ ମଧ୍ୟରେ ବଦଳେ ତାହା ଆଶ୍ଚର୍ଯ୍ୟଜନକ ।

ତେବେ ଆଜି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ମହେନ୍ଦ୍ର ନାୟକଙ୍କ ଦୁଇଟି ଫଟୋକୁ ନେଇ ବେଶ ଚର୍ଚ୍ଚା ହେଉଛି । ଗୋଟିଏ ଫଟୋ ଝାରସୁଗୁଡାରେ କଂଗ୍ରେସର କର୍ମୀ ସମ୍ମିଳନୀର । ଉପନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି (ଗୁରୁବାର) ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଆଉ ଏହି ଫଟୋରେ ତରୁଣଙ୍କ ଡାହାଣ ପଟରେ ରହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ଦଳର ଝାରସୁଗୁଡା ପ୍ରାର୍ଥୀ ମହେନ୍ଦ୍ର ନାୟକ । ଅନ୍ୟଟି ଫଟୋଟି ହେଉଛି ଭୁବନେଶ୍ବରରେ ବିଜୁ ଜନତା ଦଳର ମିଶ୍ରଣ କାର୍ଯ୍ୟକ୍ରମର । ଫଟୋରେ ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପ୍ରଶାସକରୁ ନେତା ହୋଇଥିବା ମହେନ୍ଦ୍ର ବଢ଼େଇ, ମୁଖପାତ୍ର ସଞ୍ଜୟ ବାବୁ, ସାଧାରଣ ସମ୍ପାଦକ ଅମରେଶ ଜେନା ପ୍ରମୁଖ ଅଛନ୍ତି । ଏହା ସହିତ ମାନସଙ୍କ ପାଖରେ ବସିଛନ୍ତି ସେହି ମହେନ୍ଦ୍ର ନାୟକ ।

ଉଭୟ ଫଟୋରେ ଏକମାତ୍ର ସମାନତା ହେଉଛନ୍ତି ମହେନ୍ଦ୍ର ନାୟକ । ଫଟୋ ଉଠାଇବାର ବ୍ୟବଧାନ ମାତ୍ର ଗୋଟିଏ ରାତି । ଗତକାଲି ଝାରସୁଗୁଡାରେ କଂଗ୍ରେସ କର୍ମୀ ସମ୍ମିଳନୀ ପରେ ପିସିସି ସଭାପତି ଫଟୋକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ପଠାଇଥିବା କୁହାଯାଉଛି । ଅନ୍ୟ ଫଟୋଟି ଆଜି ପୂର୍ବାହ୍ନ ୧୧ରେ ଭୁବନେଶ୍ବରରେ ଆୟୋଜିତ ବିଜେଡି ମିଶ୍ରଣ ପର୍ବରେ ଉତ୍ତୋଳନ ହୋଇଛି । କୁହାଯାଏ ସମୟ ବଦଳିବାକୁ ସମୟ ଲାଗେ । ଏଠି ନେତା ବଦଳିବାକୁ ମାତ୍ର ଗୋଟିଏ ରାତି ଲାଗୁଛି । ଗତକାଲି ଯେଉଁ ରାଜନେତା ସରକାରୀ ଦଳକୁ କଡ଼ା ସମାଲୋଚନା କରୁଥିଲା, କିଛି ଘଣ୍ଟା ବ୍ୟବଧାନରେ ସେହି ରାଜନେତା ଜଣଙ୍କ ଶାସକ ଦଳର ଗୁଣଗାନ କରୁଛି । ରାତିକ ମଧ୍ୟରେ କଣ ଏମିତି ଘଟିଲା ଯେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ? ଏହା କେବଳ ଉଭୟ ଦଳ ଓ ମହେନ୍ଦ୍ରଙ୍କୁ ଜଣା ।

ତେବେ ବିଜେଡିରେ ସାମିଲ ହେବାପରେ ମହେନ୍ଦ୍ର କହିଛନ୍ତି, "କଂଗ୍ରେସର ବର୍ତ୍ତମାନର ଅବସ୍ଥା ବାବଦରେ କିଛି କହିବାର ନାହିଁ । ତୃଣମୂଳସ୍ତରରେ ଯେଉଁମାନେ କାମ କରୁଛନ୍ତି ଓ ଆଗକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ସାମ୍ବିଧାନିକ ଓ ଗଣତନ୍ତ୍ର ସହଯୋଗରେ ଆଗକୁ ନେବାକୁ ପଡିବ । ମୁଁ ଉପନିର୍ବାଚନରେ ଟିକେଟ ଆଶାୟୀ ନଥିଲି । ମୁଁ ଟିକେଟ ନେବିନାହିଁ ବୋଲି ଦଳକୁ ମନା କରିଥିଲି । କେବଳ ଉପନିର୍ବାଚନ ନୁହେଁ, ଆଗାମୀ କୌଣସି ନିର୍ବାଚନ ଲଢ଼ିବି ନାହିଁ ବୋଲି ମଧ୍ୟ ଦଳୀୟ ନେତାଙ୍କୁ ଜଣାଇଥିଲି । ଝାରସୁଗୁଡା ଜିଲ୍ଲାର ଦୁଇଟି ବ୍ଲକରେ ପ୍ରାୟ ୫୦ ପ୍ରତିଶତ, ଗୋଟିଏ ବ୍ଲକରେ ୪୬ ଓ ଅନ୍ୟ ବ୍ଲକକୁ ମିଶାଇଲେ ଆଦିବାସୀ ସମ୍ପ୍ରଦାୟର ପାଖାପାଖି ୪୪ ପ୍ରତିଶତ ଭୋଟ ଅଛି । ଯାହା ପ୍ରାୟ ୬୦ ହଜାର ଭୋଟ ହେବ । ଆମ ସମ୍ପ୍ରଦାୟର ସମସ୍ତ ଭୋଟ କିପରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଯିବ ଚେଷ୍ଟା କରିବୁ । ସମସ୍ତେ ମିଶିକି ବିକାଶ ଧାରାକୁ ଆଗକୁ ନେବୁ ।

ସେପଟେ ମହେନ୍ଦ୍ରଙ୍କୁ ସମାଲୋଚନା କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ନବ ଦାସ କଂଗ୍ରେସରେ ଥିବାବେଳେ ବହୁତ ଭୋଟ ପାଇଥିଲେ । ଗତକାଲି ଯିଏ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାରେ ଥିଲେ, ଆଜି ସେହି ମହେନ୍ଦ୍ର ନାୟକ ବିଜେଡିରେ ମିଶି ଯାଇଛନ୍ତି । ମହେନ୍ଦ୍ର ଗତ ନିର୍ବାଚନରେ ମାତ୍ର ୧୮ ହଜାର ଭୋଟ ପାଇଥିଲେ । ସେଠାରେ କଂଗ୍ରେସର ପକେଟ ଭୋଟ ପ୍ରାୟ ୪୦ ହଜାର ରହିଛି । ତାଙ୍କୁ ୧୮ ହଜାର ଭୋଟ ମିଳିଥିଲା, ବାକି ଭୋଟ ବିଜେଡି ଓ ବିଜେପି ଆଡ଼କୁ ପଳାଇଥିଲା । କଂଗ୍ରେସ ଭୋଟର ମହେନ୍ଦ୍ରଙ୍କୁ ବିରୋଧ କରି ବିଜେଡି ଓ ବିଜେପିକୁ ଭୋଟ ଦେଇଥିଲେ । ମହେନ୍ଦ୍ର ପାଇଥିବା ଭୋଟ ତାଙ୍କ ବ୍ୟକ୍ତିଗତ ଭୋଟ ନଥିଲା । ତାହା ମଧ୍ୟ କଂଗ୍ରେସର ଭୋଟ ଥିଲା ।"

ସେ ଆହୁରି ମଧ୍ୟ କହିଛନ୍ତି, "ଯିଏ ବିଜେପି କିମ୍ବା ବିଜେଡିରେ ମିଶିବେ, ସେ ଭବିଷ୍ୟତରେ ହଇରାଣ ହରକତ ହେବେ । କଂଗ୍ରେସ ମଜଭୁତ ଅଛି । ବିଜୟ ଲାଗି କଂଗ୍ରେସ ନେତା ଏକତ୍ରିତ ହୋଇ ପ୍ରୟାସ କରିବୁ । ମହେନ୍ଦ୍ର ନାୟକ କଂଗ୍ରେସ ଛାଡି ବିଜୁ ଜନତା ଦଳକୁ ପଳାଇଥିବାରୁ ଲୋକେ ବହୁତ ଖୁସି ହୋଇଛନ୍ତି । ମୋ ପାଖକୁ ୫୦ଟା ଫୋନ ଆସିଲାଣି । ଲୋକେ କହୁଛନ୍ତି, ମହେନ୍ଦ୍ର ନାୟକ ପଳାଇଲେ ବହୁତ ଭଲ ହୋଇଛି । ୧୦ ହାଜର ଭୋଟ କଂଗ୍ରେସକୁ ଅଧିକ ମିଳିବ ବୋଲି ସେଠିକା ଲୋକ କହୁଛନ୍ତି । ମହେନ୍ଦ୍ରଙ୍କ ଲାଗି ଝାରସୁଗୁଡାରେ କଂଗ୍ରେସର ୨୦ ହଜାର ଭୋଟ ମାଇନସ ହୋଇଥିଲା । ସେ କଂଗ୍ରେସ ଛାଡିବା ପରେ ଆମ ଭୋଟ ୩୦ ହଜାର ପ୍ଲସ ହୋଇଛି ।

ତେବେ ମହେନ୍ଦ୍ରଙ୍କୁ ତାତ୍ସଲ୍ୟ କରି ଡାବୁ ସବୁ କାମ କରେ ବୋଲି ତାରା କହିଛନ୍ତି । ଅର୍ଥାତ ଟଙ୍କା ପାଇଁ ମହେନ୍ଦ୍ର ଛାଡିଥିବା ତାରା ପରୋକ୍ଷରେ କହିଛନ୍ତି । ସେ କହିଛନ୍ତି, "କଂଗ୍ରେସ ଛାଡି ବିଜେଡି ଯାଇଥିବା ନେତା କେଉଁ ପରିସ୍ଥିତିରେ ଅଛନ୍ତି ଦେଖନ୍ତୁ । ମହେନ୍ଦ୍ର ନାୟକ ବଡ଼ ନେତା ନୁହଁନ୍ତି । ତାଙ୍କ ପରିଚୟ ହେଲା କଂଗ୍ରେସ ଟିକେଟ । ସ୍ବର୍ଗତ ନବ ବାବୁଙ୍କର ସେ ଖାସ ଲୋକ ଥିଲେ । ତାଙ୍କର ଡାହାଣ ହାତ ଥିଲେ । ନବ ବାବୁ କାର୍ଯ୍ୟକାରୀ ସଭାପତି ଥିବାବେଳେ ତାଙ୍କୁ ପ୍ରୋଜେକ୍ଟ କରୁଥିଲେ । ମୋତେ ଲଗୁଛି ୨୦୧୯ରେ ବୋଧହୁଏ ସେଥିପାଇଁ ତାଙ୍କୁ ଟିକେଟ ଦିଆଯାଇଥିଲା । ସେଠାରେ ଆମର ଅନ୍ୟ ପ୍ରାର୍ଥୀ ନଥିଲେ । ମହେନ୍ଦ୍ର କଂଗ୍ରେସ ଛାଡିବା ପରେ କିଛି ଫରକ ପଡିବନାହିଁ । ମୁଁ ଭାବୁଥିଲି ସେ ପଳେଇ ଗଲେ ଭଲ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details