ଓଡିଶା

odisha

ETV Bharat / state

୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ; ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ, ମା'ଙ୍କ ପାଇଁ ଭକ୍ତଙ୍କ ଘରୁ ଆସିବ ସିନ୍ଦୁର

Maa Samaleswari Temple Project: ମା' ସମଲେଶ୍ବରୀଙ୍କ ପୀଠର ରୂପାନ୍ତରଣ କାର୍ଯ୍ୟର ଲୋକାର୍ପଣ ଆସନ୍ତା ଜାନୁଆରୀ ୨୭ ତାରିଖରେ ହେବ । ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଓ ପୂଜାରୀମାନେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ମା'ଙ୍କ ପାଇଁ ସିନ୍ଦୁର ଭକ୍ତଙ୍କ ଠାରୁ ଆସିବ । ଅଧିକ ପଢ଼ନ୍ତୁ...

By ETV Bharat Odisha Team

Published : Jan 7, 2024, 6:55 AM IST

୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ
୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ

୨୭ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପୀଠର ରୂପାନ୍ତରଣ ଚାଲିଛି । ଆଗାମୀ ୨୭ ତାରିଖରେ ଏହି ପ୍ରକଳ୍ପର ଲୋକାର୍ପଣ ହେବ । ଏଥିପାଇଁ ଶନିବାର ମା' ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରି ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଛନ୍ତି ।

ମା'ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି । ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ କହିଛନ୍ତି, "ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ ନିବାସ ଆସିଥିଲୁ । ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛୁ । ରାଜ୍ୟର ବିଭିନ୍ନ ଦେବାଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ମା'ଙ୍କ ସହିତ ଜନସାଧାରଣଙ୍କୁ ଯୋଡିବା ଲାଗି ବ୍ୟବସ୍ଥା କରାଯାଉଛି । ପଶ୍ଚିମ ଓଡିଶାର 10 ଜିଲ୍ଲାର ପ୍ରତ୍ୟେକ ଲୋକଙ୍କ ପାଖରେ ନଡ଼ିଆ ପହଞ୍ଚାଯିବ । ମା'ଙ୍କ ପ୍ରିୟ ସିନ୍ଦୁର କିପରି ଭକ୍ତଙ୍କ ଠାରୁ ଆସିବ, ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛୁ । ମୁଖ୍ୟମନ୍ତ୍ରୀ ଏ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।"

ଏହି କାର୍ଯ୍ୟକ୍ରମକୁ ଛତିଶଗଡ଼ ଓ ଝାଡ଼ଖଣ୍ଡର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି । ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ମୁଁ ସବୁବେଳେ ଗୁରୁତ୍ବ ଦେଇଆସିଛି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ।" 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଚାଲିଛି । ଆଗକୁ ମଧ୍ୟ ସବୁ କାମ ଭଲରେ ହେବ । ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ ।"

ଏହା ମଧ୍ୟ ପଢ଼ନ୍ତୁ...ମା' ସମଲେଶ୍ବରୀ ମନ୍ଦିରରେ 5T ଅଧ୍ୟକ୍ଷ; ରୂପାନ୍ତରଣ ପ୍ରକଳ୍ପର କଲେ ସମୀକ୍ଷା

ପ୍ରକାଶ ଥାଉକି, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ । ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି । ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ବୟନ ପାଇଁ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପୂର୍ବରୁ ସେମାନେ ମା' ସମଲେଶ୍ବରୀଙ୍କୁ ପୂଜା କରି ମା' ପାଟଣେଶ୍ବରୀ, ମା' ଦଶମତୀ, ମା' ବାଟ ମଙ୍ଗଳା, ବାବା ସୋମନାଥ ଏବଂ ଭୁବନେଶ୍ଵରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details