ଖୋର୍ଦ୍ଧା:ଖୋର୍ଦ୍ଧା ବାଙ୍କୋଇ ଗ୍ରାମରେ ଭିନ୍ନ ଏକ ପରମ୍ପରା ଛତ୍ରୀ ଯାତ୍ରା । ଗ୍ରାମରେ ପୂଜା ପାଉଥିବା ମା’ରାମଚଣ୍ଡୀଙ୍କ ଦଶହରା ପର୍ବ ଅବସରେ ଏହି ଛତ୍ରୀ ଯାତ୍ରା ପାରମ୍ପରିକ ଭାବେ ହୋଇ ଆସୁଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ଗ୍ରାମରେ କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି ଏହି ଛତ୍ରୀ ଯାତ୍ରା ।
ତେବେ ଦଶହରା ପୂଜା ପାଇଁ ଆଶ୍ବିନ ମାସ ଅମାବାସ୍ୟାଠାରୁ ଦଶହରା ପର୍ଯ୍ୟନ୍ତ ଗ୍ରାମର କଚେରୀବର ସ୍ଥିତ ଅସ୍ଥାନରେ ମା' ରାମଚଣ୍ଡୀ ଅବସ୍ଥାନ କରିଥାଆନ୍ତି । ଏଥିପାଇଁ ମାଆଙ୍କର ବିଜେ ପ୍ରତିମା ଏକ ଛତ୍ରୀ ଯାତ୍ରାରେ ମନ୍ଦିରଠାରୁ ଗ୍ରାମର କଚେରୀବର ସ୍ଥିତ ଆସ୍ଥାନ ବିଜେ କରିଥାନ୍ତି । ଏହି ଯାତ୍ରା ଅବସରେ ମାଆଙ୍କର ଦୁଇ ଭଉଣୀ ରୂପେ ଗ୍ରାମରେ ପୂଜା ପାଉଥିବା ମା ଫୁଲୁକାଶୂଣୀ ଓ ଜଟେଇଶୁଣୀ ମଧ୍ୟ ପ୍ରଥମେ କଚେରୀବର ସ୍ଥିତ ମାଆଙ୍କ ଆସ୍ଥାନ କୁ ବିଜେ କରିଥାନ୍ତି । ଛତ୍ରୀ ଯାତ୍ରାରେ ମାଆଙ୍କର ଅଶିଷ ପାଇବା ପାଇଁ ପିଲାମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରି ମାଆଙ୍କ ସାଥିରେ କଚେରୀ ପର୍ଯ୍ୟନ୍ତ ପଟୁଆରେ ଯାଇ ଛାତ୍ରୀ ଯାତ୍ରାର ମଜା ନେଇଥାଆନ୍ତି ।
ଏହି ଯାତ୍ରାରେ ପିଲାମାନେ ଏକ ବାଉଁଶ ନିର୍ମିତ ଛତ୍ରୀ ଧରିଥିବା ବେଳେ ଏହି ଛତ୍ରୀର ଚାରିପାର୍ଶ୍ୱରେ କଇଁ ଫୁଲ ଝୁଲୁଥାଏ । ଏଥିସହ ଛତ୍ରୀର ଅଗ୍ରଭାଗରେ ଏକ ନିଆଁ ହୁଳା ଜଳୁଥିବାର ଦୃଶ୍ୟ ଯାତ୍ରାକୁ ବେଶ ଆକର୍ଷଣୀୟ କରିଥାଏ । ମାଆ ରାମଚଣ୍ଡୀ ପିଲାମାନଙ୍କୁ ଅଧିକ ଭଲ ପାଉଥିବାର ବିଶ୍ୱାସ ଗ୍ରାମରେ ରହିଛି । ଏପରିକି ପିଲାମାନଙ୍କ ସହିତ ଡୁଡୁ ଖେଳିବାକୁ ମାଆ ଭଲ ପାଇଥାନ୍ତି । ତେଣୁ ଡୁଡୁ ଖେଳ ଅର୍ଥାତ ବର୍ତ୍ତମାନ କୁହାଯାଉଥିବା କବାଡି ଖେଳକୁ ମାଆ ଭଲ ପାଉଥିବାରୁ ମାଆଙ୍କ କଚେରୀବର ସ୍ଥିତ ଅସ୍ଥାନଠାରେ ଗ୍ରାମର ଯୁବକମାନଙ୍କ ପକ୍ଷରୁ ଆୟୋଜିତ ହୋଇ ଆସୁଛି ରାଜ୍ୟସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ।