ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଆସନ୍ତାକାଲି(ମଙ୍ଗଳବାର) ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ନେଇ ଅନୁମାନ କରାଯାଉଛି ।
ଏହାରି ଭିତରେ ଘନେଇବାରେ ଲାଗିଲାଣି ବାତ୍ୟା ମୋଚା ଭୟ । ପାଣିପାଗ ବିଭାଗର ଆକଳନ ଅନୁସାରେ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାଲାକି(୯ ତାରିଖ) ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ପରିଣତ ହେବ । ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଯିବ । ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ର ରୂପ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ବାତ୍ୟାର ରୂପ ନେଲା ପରେ ଏହାର ଗତିପଥ କ'ଣ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ଆକାଳନ କରାଯିବା ନେଇ କୁହାଯାଇଥିଲା । ତେବେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆଉ କିଛି ସମୟ ପରେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ସୂଚନା ଦେବେ । ତେବେ ବାତ୍ୟା ବାଲାଂଦେଶ କିମ୍ବା ମିଆଁମାର ମୁହାଁ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।