ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ଅବପାତର ରୂପ ନେବ ଦକ୍ଷିଣ ଅଣ୍ଡାମାନ ସାଗର ଓ ଏହା ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଧୀରେଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ବର୍ତ୍ତମାନ ଓଡ଼ିଶା ପାଇଁ କୌଣସି ବିପଦ ସଙ୍କେତ ନଥିବା ବେଳେ କେବଳ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ସମ୍ଭାବ୍ୟ ବାତ୍ୟା ୨ ତାରିଖରେ ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।
କେନ୍ଦ୍ରୀୟ ବଙ୍ଗୋପସାଗର ୨ ତାରିଖରେ ବେଶୀ ବିପଦ ରହିବ । ସେଥିପାଇଁ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ୧ ତାରିଖ ସୁଦ୍ଧା ଫେରି ଆସିବା ପାଇଁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ବର ସୂଚନା ଦେଇଛି ବାତ୍ୟା ମିଞ୍ଚାଉଙ୍ଗ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୩୦ ନଭେମ୍ବରରେ ଏକ ଅବସାଦରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲାଗିଥିବା ଘୂର୍ଣ୍ଣିବଳୟ ମଧ୍ୟରେ ଆହୁରି ତୀବ୍ର ହେବ । ଏଥିପାଇଁ ସାଉଥ ଆଣ୍ଡାମାନ ନିକୋବର ଅଞ୍ଚଳ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି ।