ଭୁବନେଶ୍ବର:ରାଜଧାନୀରେ ବୃଦ୍ଧି ହେବାରେ ଲାଗିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା । ପ୍ରେମକୁ ନପାଇ କିଏ ବେକରେ ରଶି ଲଗାଇ ଝୁଲି ପଡୁଛିତ ଆଉ କିଏ ବିଷପାନ କରି ଆତ୍ମହତ୍ୟା କରୁଛି । ଫଳରେ ଅବେଳାରେ ଝଡିପଡୁଛି ଅନେକଙ୍କ ଜୀବନ । ବିଶେଷକରି ପ୍ରେମରେ ବିଫଳ ହେବା ପରେ ଯୁବପିଢିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳୁଛି । ସୋମବାର ରାଜଧାନୀରେ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । ପ୍ରେମିକାର ଲାଗିଥିଲା ଅନ୍ୟତ୍ର ବାହାଘର, କିନ୍ତୁ ପ୍ରେମ ସମ୍ପର୍କକୁ ନେଇ ଘରେ କହିପାରିଲେନି ପ୍ରେମିକା କି ଏହାକୁ ସହି ପାରିଲେନି ପ୍ରେମିକ । ଶେଷରେ ପ୍ରେମ ନିଶାରେ ଜୀବନ ହାରିଛନ୍ତି ପ୍ରେମୀଯୁଗଳ । ଏଭଳି ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆ ସାହି ଶ୍ରୀରାମ ନଗରରେ । ପ୍ରେମିକାର ଘରେ ଉଭୟ ମିଶି ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁଇ ମୃତକ ହେଉଛନ୍ତି ପି.ବର୍ଷା ରେଡ୍ଡୀ ଓ ଚିତ୍ରସେନ ଗୌଡ ।
ମିଳିଥିବା ସୂଚନା ଅନୁଯାୟୀ, ସାଲିଆ ସାହିର ଶ୍ରୀରାମ ନଗରରେ ରହୁଥିବା ପି.ବର୍ଷା ରେଡ୍ଡୀ ନବମରୁ ପାଠ ଛାଡ଼ିବା ପରେ ଘରେ ରହୁଥିଲେ । ପରେ ପରେ ଗଞ୍ଜାମର ଚିତ୍ରସେନ ଗୌଡ ନାମକ ଯୁବକଙ୍କ ସହ ସେହି ବସ୍ତିରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଚିତ୍ରସେନ ବିଶାଖାପାଟନମ ଯାଇ ଏକ କମ୍ପାନୀରେ ଚାକିରି କରୁଥିବା ବେଳେ ଉଭୟ ପ୍ରତିଦିନ ଫୋନରେ ବାର୍ତ୍ତାଳାପ କରୁଥିଲେ । କିନ୍ତୁ ବର୍ଷା ତାଙ୍କର ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକଙ୍କୁ ଜଣାଇନଥିଲେ । ଏହାରି ଭିତରେ ବର୍ଷାର ବାହାଘର ଘରଲୋକେ ଅନ୍ୟତ୍ର ଦେଖିବା ଆରମ୍ଭ କରିଥିଲେ । ଆଉ ଏ ବିଷୟରେ ପ୍ରେମିକ ଚିତ୍ରସେନ ଜାଣିବାକୁ ପାଇଥିଲେ । ଶେଷରେ ଭୁବନେଶ୍ବର ଫେରି ଆସି ବର୍ଷାଙ୍କ ଘରକୁ ଯାଇଥିଲେ । ଘରେ ଯୁବତୀଙ୍କ ବାପାମାଆ ନଥିବା ସମୟରେ ସେଠାରେ ଉଭୟ ପ୍ରେମିଯୁଗଳ ଆତ୍ମହତ୍ୟା କରିଥିଲେ ।
କିଛି ଘଣ୍ଟାପରେ କାମ ସାରି ଘରକୁ ଫେରିଥିଲେ ବର୍ଷାଙ୍କ ବାପା ଓ ମାଆ । ଏହାପରେ ଘର ମଧ୍ୟରେ ଜଣେ ଯୁବକ ଓ ଝିଅର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଛି ।