ଭୁବନେଶ୍ବର:ରାଜଧାନୀରେ ମାତିଛନ୍ତି ବିହାରି ଗ୍ୟାଙ୍ଗ । ଶ୍ରମିକ ବେଶରେ ବୁଲି କରୁଛନ୍ତି ଡକାୟତି । ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଡକାୟତି ଯୋଜନା ବେଳେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ୬ ଜଣ ବିହାରି ରହିଥିବାବେଳେ ଜଣେ ଓଡ଼ିଆ ରହିଛନ୍ତି । ପୋଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ସ୍ଥିତ ଓସ୍କାର ସିଟି ଲେନ ୪ରେ ଥିବା ଏକ ବିବାହ ମଣ୍ଡପ ପାଖରେ ଏମାନେ ଡକାୟତି ପାଇଁ ଯୋଜନା କରୁଥିଲେ । ହାତ ହତିଆର ଚିମୁଟା, ଶାବଳ, ଓ ମାରଣାସ୍ତ୍ର ସହ ଏକ ଅଣ୍ଡର କନଷ୍ଟ୍ରକସନ ଘରେ ଡକାୟତି ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ ହଠାତ ରାତିରେ ଉଠିଥିବା ଜଣେ ଲୋକ ଏସବୁ ଦେଖିବାକୁ ପାଇଥିଲେ । ବିଳମ୍ବିତ ରାତିରେ ଏମାନଙ୍କୁ ଦେଖି ସନ୍ଦେହ କରି ବ୍ୟକ୍ତି ଜଣକ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ମାତ୍ର ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ୭ ଜଣଙ୍କୁ ଥାନା ଆଣି ପଚରାଉଚରା କରିବା ସହ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ପୋଲିସ । ତେବେ ଏମାନେ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ କରୁଛି ।