ଭୁବନେଶ୍ବର:ଦୀର୍ଘ 3 ବର୍ଷର କଟକଣା ପରେ ଦର୍ଶକଙ୍କ ଲାଗି ଖୋଲିଲା ଲୋକସେବା ଭବନ(Lok Seva Bhawan Flower Garden To Open For Public) । ଜାନୁଆରୀ ମାସର ସବୁ ଛୁଟି ଦିନଗୁଡିକ ଦର୍ଶକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ । ଅପରାହ୍ନ 4ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବୁଲି ଦେଖିପାରିବେ ଦର୍ଶକ । ଆଜି ଅପରାହ୍ନ 4ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ତେବେ ପ୍ରଶ୍ନ ଉଠୁଛି, ଯଦି ଦର୍ଶକଙ୍କ ପାଇଁ ଲୋକସେବା ଭବନ ଖୋଲିପାରୁଛି ତେବେ ଗଣମାଧ୍ୟମ ପାଇଁ କାହିଁକି ନୁହେଁ ?
କୁହାଯାଏ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଲିଖିତ ଭାବେ ନଥିଲେ କଥିତ ଭାବେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ବୋଲି ସମସ୍ତେ ଗ୍ରହଣ କରିଛନ୍ତି । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସାଧାରଣ ଲୋକ ଓ ଗଣମାଧ୍ୟମକୁ ବାରଣ କରାଯାଇଥିଲା । ସଂକ୍ରମଣ ଦୂର ହେବା ପରେ ସାଧାରଣ ଲୋକ ଓ ଗଣମାଧ୍ୟମ ଲାଗି ଲାଗୁ ସମସ୍ତ କଟକଣା ଉଠାଇ ନିଆଯାଇଛି । ସଂସଦ ଏବଂ ବିଧାନସଭା କାର୍ଯ୍ୟ ମଧ୍ୟ ସ୍ବାଭାବିକ ହୋଇଛି । ଏହାସହ ବିନା କଟକଣାରେ ଚାଲିଛି କୋର୍ଟ ଓ ପ୍ରଶାସନିକ କାର୍ଯ୍ୟ । କିନ୍ତୁ ଓଡିଶା ସରକାରଙ୍କ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ କଟକଣା ମୁକ୍ତ ହୋଇପାରିନାହିଁ । ଏହି ଭବନଗୁଡିକୁ ପ୍ରବେଶ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ଲାଗି କଟକଣା ଜାରି ରହିଛି ।