ଓଡିଶା

odisha

ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବିରେ ଆନ୍ଦୋଳନକୁ ପୂରିଲା ୩୫ ଦିନ, ୧୦ରେ NH ବନ୍ଦ ଚେତାବନୀ - ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ୩୫ ଦିନ ହେବ ଧାରଣାରେ ବସିଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଲୋକେ । ଆଜି ସେମାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି
ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି

By

Published : Jun 25, 2023, 9:14 PM IST

ବେଗୁନିଆରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି

ଖୋର୍ଦ୍ଧା:ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜନସାଧାରଣଙ୍କୁ ମିଳୁନି ଉନ୍ନତ ସ୍ବାସ୍ଥ୍ୟସେବା । ଯେଉଁଥିପାଇଁ ଦୀର୍ଘ ୩୫ ଦିନ ଧରି ଗଣସତ୍ୟାଗ୍ରହରେ ବସିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ସ୍ଥାନୀୟ ଜନସାଧାରଣ । ବେଗୁନିଆରେ ଥିବା ସ୍ବାଧୀନତା ପୂର୍ବର ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବହେଳିତ ଅବସ୍ଥାରେ ରହିଛି । ଯେଉଁଥିପାଇଁ ବେଗୁନିଆ ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ୩୫ ଦିନ ହେବ ଧାରଣାରେ ବସିଛନ୍ତି । ଆଉ ଯଥାଶୀଘ୍ର ଦାବି ପୂରଣ ନହେଲେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧର ଚେତାବନୀ ମଧ୍ୟ ଦେଇଛନ୍ତି ଆନ୍ଦୋଳନକାରୀ ।

ଆଜି ବର୍ଷା ସତ୍ତ୍ବେ ଗଣସତ୍ୟାଗ୍ରହ ଜାରି ରହିଥିଲା । ସତ୍ୟାଗ୍ରହ ସ୍ଥଳରେ ହଠାତ ପହଞ୍ଚିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସତ୍ୟାଗ୍ରହ ପେଣ୍ଡାଲ ଉପରକୁ ନଚଢ଼ି ତଳେ ଠିଆହୋଇ ଲୋକଙ୍କ ଦାବି ଶୁଣିଥିଲେ ସାଂସଦ । ଏହି ଦାବି ବେଗୁନିଆ ଅଞ୍ଚଳର ବୋଲି କହିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଆବଶ୍ୟକ ପଡ଼ିଲେ ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ସାଂସଦ । ସେପଟେ ଦାବି ପୂରଣ ନହେଲେ ଆସନ୍ତା ମାସ ୧୦ ତାରିଖରେ ବେଗୁନିଆ ଠାରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ବେଗୁନିଆ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବରୋଧ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସ ୨୨ ତାରିଖରୁ ବେଗୁନିଆର ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଆନ୍ଦୋଳନ ଜାରି ରହିଛି । ୨୦୧୫ ମେ' ୧୦ ତାରିଖରେ ବିଧାନସଭା ଗୃହ କମିଟି ବେଗୁନିଆ ଡାକ୍ତର ଖାନାକୁ ଆସି ସ୍ବାସ୍ଥ୍ୟସେବା ସ୍ଥିତିକୁ ଅନୁଧ୍ୟାନ କରିବା ପରେ ବେଗୁନିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚ୍‌ସି ଅର୍ଥାତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ୨୦୧୬ ମସିହାରେ ତତ୍କାଳୀନ ବିରୋଧୀ ଦଳ ନେତା, ସ୍ଵାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ପରେ ପିଏଚ୍‌ସିରୁ ସିଏଚ୍‌ସି କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେହି ସମସ୍ତ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବା କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details