ଓଡିଶା

odisha

ମହାନଦୀ ଜଳ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ଲେଖାଶ୍ରୀ

By

Published : Apr 21, 2023, 11:12 AM IST

ମହାନଦୀ ସମ୍ପର୍କରେ ରାଜ୍ୟ ସରକାରଙ୍କର ଆଦୌ ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡୁଥିବା ନେଇ କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର । ଅଧିକ ପଢନ୍ତୁ

bjp leader lekhasri samantasinghar
bjp leader lekhasri samantasinghar

bjp leader lekhasri samantasinghar

ଭୁବନେଶ୍ବର:ମହାନଦୀ ପ୍ରସଙ୍ଗରେ ଓଡିଶା ଓ ଛତିଶଗଡ ବସି ଆଲୋଚନା କରିବା ଦରକାର । ଦୁଇ ରାଜ୍ୟ ଆଲୋଚନା କଲେ ମହାନଦୀ ସମସ୍ୟାର ସମାଧାନ ହେବ । ଏହା ଭାରତୀୟ ଜନତା ପାର୍ଟି ବାରମ୍ବାର କହିଛି । କିନ୍ତୁ ରାଜ୍ୟ ସରକାର ସେ ଦିଗରେ କୌଣସି ବି ପଦକ୍ଷେପ ନେଇନାହାନ୍ତି । ଏଥିରୁ ମହାନଦୀ ସମ୍ପର୍କରେ ରାଜ୍ୟ ସରକାରଙ୍କର ଆଦୌ ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡୁଥିବା ନେଇ କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସମାନ୍ତସିଂହାର ।

ପ୍ରେସ ବାର୍ତ୍ତା ଜରିଆରେ ଲେଖାଶ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଉଦ୍ୟମରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ କରିଥିଲେ । ଏହାପରେ ଓଡ଼ିଶା ସରକାର ମହାନଦୀ ସମସ୍ୟା ଆଗେଇବା କଥା, କିନ୍ତୁ ତାହା ସେ କରିନାହାନ୍ତି । ମହାନଦୀର ସମ୍ପର୍କରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ପରବର୍ତ୍ତୀ ସମୟରେ ପୁନର୍ବାର ତତ୍‌କାଳୀନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଆଉ ଏକ କମିଟି ମଧ୍ୟ ଗଠନ ହୋଇଥିଲା । ଉଭୟ କମିଟି ଗଠନ ହେବା ଦିନ ଠାରୁ ଗୋଟିଏ ବି ବୈଠକ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର କମିଟି ଗଠନ କରି ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭୁଲିଗଲେ । କେବଳ ଗତ ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାରେ ରହିବା ପାଇଁ ମହାନଦୀ ପାଇଁ କୁମ୍ଭୀର କାନ୍ଦଣା ସଦୃଶ ଦଳୀୟ ଭିତିରେ ବିଭିନ୍ନ ଲୋକଦେଖାଣିଆ କାର୍ଯ୍ୟକ୍ରମ କରିଥିଲେ । ଏଥିରୁ ମହାନଦୀ ସମ୍ପର୍କରେ ରାଜ୍ୟ ସରକାରଙ୍କର ଆଦୌ ଆନ୍ତରିକତା ନ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଓଡିଶା ସରକାରଙ୍କର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ କୌଣସି ଭରସା ନାହିଁ । ରାଜ୍ୟ ସରକାର ସର୍ବଦଳୀୟ ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି ନାହିଁ । ସର୍ବଦଳୀୟ କମିଟି ମହାନଦୀ ସମସ୍ୟା ଆକଳନ କରି ସମସ୍ୟାର ବାଟ ବାହାର କରିବାର କଥା ହୋଇଥିଲା । କିନ୍ତୁ ତାକୁ ମୁଖ୍ୟମନ୍ତ୍ରୀ ପ୍ରଶୟ ଦେଇନାହାନ୍ତି । ଓଡ଼ିଶାବାସୀଙ୍କ ଜଳକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ଅଧିକାରୀମାନେ କହିଥିଲେ ଛତିଶଗଡ ୧୦୦୦ ବ୍ୟାରେଜ କଲେ ବି ଆମର କିଛି ସମସ୍ୟା ହେବ ନାହିଁ । ରାଜ୍ୟ ସରକାର ନିଜେ ଜାଣିନାହାନ୍ତି ସମସ୍ୟା କେଉଁଠି ରହିଛି । ୨୩ବର୍ଷ ଭିତରେ ଓଡ଼ିଶା ସରକାର ମହାନଦୀ ଜଳକୁ ସଂରକ୍ଷଣ, ବର୍ଷା ଜଳକୁ ବ୍ୟବହାର କରିବା ପାଇଁ ଗୋଟିଏ ବି ବ୍ୟାରେଜ କରିନାହାନ୍ତି । ରାଜ୍ୟ ସରକାର ଅଂହକାର ଓ ଅହମିକା ଭିତରେ ରହୁଛନ୍ତି । ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ ବାହାର କରନ୍ତୁ । ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାହାର ଉତ୍ତର ତୁରନ୍ତ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details