ଓଡିଶା

odisha

ETV Bharat / state

ମୋ ଲାଇଫ ଷ୍ଟୋରି ନେଇ ମାର୍କେଟିଂ କରୁଛନ୍ତି, 72ଘଣ୍ଟାରେ ହଟାନ୍ତୁ: ଅଞ୍ଜନା ମିଶ୍ର - ଅଞ୍ଜନା ମିଶ୍ର

Legal Notice Issued To Baranga 1999: ରିଲିଜ ପରେ ବିବାଦରେ ଛନ୍ଦି ହେଲା ଓଡ଼ିଆ ୱେବସିରିଜ 'ବାରଙ୍ଗ ୧୯୯୯' । ଏହି ସିରିଜକୁ ନେଇ ବର୍ତ୍ତମାନ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସମ୍ପର୍ଣ୍ଣ ମାମଲା କ'ଣ ? ଜାଣନ୍ତୁ

ଓଡ଼ିଆ ୱେବସିରିଜ 'ବାରଙ୍ଗ ୧୯୯୯' ନାଁରେ ଲିଗାଲ ନେଟିସ୍
ଓଡ଼ିଆ ୱେବସିରିଜ 'ବାରଙ୍ଗ ୧୯୯୯' ନାଁରେ ଲିଗାଲ ନେଟିସ୍

By ETV Bharat Odisha Team

Published : Dec 29, 2023, 5:23 PM IST

ଓଡ଼ିଆ ୱେବସିରିଜ 'ବାରଙ୍ଗ ୧୯୯୯' ନାଁରେ ଲିଗାଲ ନେଟିସ୍

ଭୁବନେଶ୍ବର: ପୁଣି ବିବାଦରେ ଛନ୍ଦି ହେଲା ଓଡ଼ିଆ ୱେବସିରିଜ 'ବାରଙ୍ଗ ୧୯୯୯' । ସିରିଜକୁ ନେଇ ବର୍ତ୍ତମାନ ଅଞ୍ଜନା ମିଶ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଫିଲ୍ମର ପୋଷ୍ଟର ରିଲିଜ ପରେ ବିବାଦ ଦେଖାଦେଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସିରିଜର ଟ୍ରେଲର ରିଲିଜ ହୋଇଛି । ଯାହା ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂଘର୍ଷକୁ ଦର୍ଶାଇଛି । ଯାହାକୁ ନେଇ ସେହି ବର୍ଷ ଗଣଦୁଷ୍କର୍ମ ଘଟଣାର ଶିକାର ହୋଇଥିବା ଅଞ୍ଜନା ମିଶ୍ର ତାଙ୍କ ଓକିଲଙ୍କ ଜରିଆରେ ଲିଗାଲ ନୋଟିସ୍ ପଠାଇଛନ୍ତି । ତାଙ୍କ ବିନା ଅନୁମତିରେ ତାଙ୍କର ଜୀବନୀକୁ ପ୍ରସାରିତ କରିବା ଅଭିଯୋଗରେ ଅଞ୍ଜନା ମିଶ୍ର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଟିଟି ପ୍ଲାଟର୍ଫମ ସମେତ ୯ ଜଣଙ୍କ ନାଁରେ ମାନହାନୀ ମକଦ୍ଦମା ମାମଲା ରୁଜୁ କରି ନୋଟିସ୍ ଜାରି କରିଛନ୍ତି ।

'ବାରଙ୍ଗ ୧୯୯୯' ଟ୍ରେଲରରେ ଅଞ୍ଜନା ମିଶ୍ରଙ୍କ ପ୍ରତିଷ୍ଠାତାକୁ ଆଘାତ ପହଞ୍ଚାଇବା ଉଦ୍ଦେଶ୍ୟରେ ଗଣଦୁଷ୍କର୍ମ ଘଟଣାର ମିଥ୍ୟା ଏବଂ ଅପମାନଜନକ ବିଷୟବସ୍ତୁ ବର୍ଣ୍ଣନା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି । ଏହି ସିରିଜ ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ଇଙ୍ଗିତ କରି ନିର୍ମାଣ ହୋଇଥିବା ନେଇ ଅଞ୍ଜନା ମିଶ୍ର ତାଙ୍କ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ଏବଂ ଆକାଂକ୍ଷା କବିଙ୍କ ପକ୍ଷରୁ ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମକୁ ଲିଗାଲ ନୋଟିସ ଜାରି କରାଯାଇଛି । ନିର୍ଦ୍ଧିଷ୍ଟ ଓଟିଟି ପ୍ଲାଟଫର୍ମ, କ୍ୟାମେରା କୁଇନ ପ୍ରଡକ୍ସନ ,ସାମାଜିକ ଗଣମାଧ୍ୟମ ଫୋସବୁକ୍ ଏବଂ ୟୁଟ୍ୟୁବକୁ ଲିଗାଲ ନୋଟିସ ଜାରି କରାଯାଇଛି ।

ଅଞ୍ଜନା ମିଶ୍ରଙ୍କ ଜୀବନର ଦୁଃଖଦ କାହାଣୀ କୁ ପ୍ରଚାର ପ୍ରସାର କରିଛି କଞ୍ଚା ଲଙ୍କା ୱେବ ସିରିଜ ବାରଙ୍ଗ- 99 ଯାହା ଅଞ୍ଜନାଙ୍କୁ ବ୍ୟଥିତ କରିଛି । ଏହି ସିରିଜ ରେ ତାଙ୍କ ନାଁ କୁ ପରିବର୍ତ୍ତନ କରି ତାଙ୍କ ଜୀବନୀକୁ ପ୍ରସାରିତ କରାଯାଉଛି । ତେଣୁ ସେ ଆଇନ ର ଆଶ୍ରୟ ନେବା ସହ ତାଙ୍କ ଓକିଲଙ୍କ ଜରିଆରେ ନୋଟିସ ଜାରି କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଅଞ୍ଜନାଙ୍କ ଓକିଲ ଆକାଂକ୍ଷା କବି । ତେବେ ୭୨ ଘଣ୍ଟା ମଧ୍ୟରେ ଜବାବ ରଖିବାକୁ ଲିଗଲ ନୋଟିସରେ ଦର୍ଶାଯାଇଛି । ଯଦି ସେମାନେ ନିଜ ପକ୍ଷ ନରଖିବେ ତାହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପ୍ରକ୍ରିୟା କରାଯିବ ବୋଲି ଅଞ୍ଜନାଙ୍କ ଓକିଲ ଆକାଂକ୍ଷା କବି ସୂଚନା ଦେଇଛନ୍ତି । ସେପଟେ ଅଭିଯୋଗକାରିଣୀ ଅଞ୍ଜନା ମିଶ୍ର ମଧ୍ୟ କହିଛନ୍ତି, ସେମାନଙ୍କୁ ସମୟ ଦିଆଯାଇଛି ଯଦି ସେମାନେ ଏହାକୁ ନହଟାଇଲେ ତେବେ ମୁଁ କୋର୍ଟ ଯିବି ।

ସେପଟେ ଫିଲ୍ମ ନିର୍ମାତା ଅକ୍ଷୟ କୁମାର ପରିଜା କହିଛନ୍ତି, ଆମେ ଏହି ଲିଗାଲ ନୋଟିସ୍ ପାଇଛୁ । ଆମେ ଏହାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ । ଏହା ଏକ କାଳ୍ପନିକ କାହାଣୀ । ଏହା କାହାର ବାୟୋପିକ ନୁହେଁ । ଆମେ ଏହା କାହାକୁ ଆକ୍ଷେପ କରିନାହୁଁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଏହାକୁ ସମସ୍ତେ ଦେଖନ୍ତୁ, ସମସ୍ତେ ତାଙ୍କ ପ୍ରଶ୍ନର ଉତ୍ତର ପାଇଯିବେ ।

ସୂଚନା ଥାଉ କି, ୧୯୯୯ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସରକାର ସମୟରେ ଅଞ୍ଜନା ମିଶ୍ର ଘଟଣା ଘଟିଥିଲା । ସାରା ରାଜ୍ୟରେ ଏହି ଘଟଣା ଚହଳ ପକାଇଥିଲା । ଉକ୍ତ ଘଟଣା ପାଇଁ ଓଡିଶା ରାଜନୈତିକ ଇତିହାସ ପଟ ପରିବର୍ତ୍ତନ ମଧ୍ୟ ହୋଇଥିଲା । ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କୁ ଗାଦି ଛାଡିବାକୁ ପଡିଥିଲା । ତାପରେ କଂଗ୍ରେସ ସରକାର ମଧ୍ୟ ପରିବର୍ତ୍ତନ ହୋଇଥିଲା । ଏଥିସହ ପୂର୍ବରୁ 'ବାରଙ୍ଗ ୧୯୯୯' ରିଲିଜକୁ ନେଇ ବିବାଦ ହୋଇଥିଲା ।

ଏନେଇ ଅଞ୍ଜନା ମିଶ୍ର କହିଥିଲେ, "ମୋ ଜୀବନ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ସିନେମା ହେବା ଖବର କାଗଜରୁ ପଢ଼ିଲି । ଏହି ଖବର ମତେ ବ୍ୟଥିତ କରିଛି । ତେଣୁ ମତେ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ କରାନଯାଉ ବୋଲି ସିଧାସଳଖ ମନା କରିଥିଲେ । ଏପରିକି ତାଙ୍କୁ ଜଣାଇଲେ ମଧ୍ୟ ମୁଁ ମୋ କାହାଣୀକୁ ନେଇ କୌଣସି ଚଳଚ୍ଚିତ୍ର ପ୍ରସ୍ତୁତିର ସପକ୍ଷରେ ନାହିଁ ବୋଲି କହିଥିଲେ । କାରଣ ଏଭଳି ହେଲେ ମୋର ସମ୍ମାନ ଓ ପୁରୁଣା କଥା ମନେ ପଡିବ । ଆଉ ମତେ ନେଇ ପୁଣି ଥରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହେବ । ତେଣୁ ମୁଁ ଏନେଇ କୌଣସି ସହମତ ପ୍ରକାଶ କରୁନାହିଁ । ଫିଲ୍ମ ନିର୍ମାଣ ବନ୍ଦ ନହେଲେ ମୁଁ କୋର୍ଟଙ୍କ ଦ୍ବାରସ୍ଥ ହେବି ବୋଲି ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯

ସୂଚନା ଥାଉ କି, ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ନିର୍ମିତ ହୋଇଛି । 'ବାରଙ୍ଗ ୧୯୯୯'ର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ । 'ବାରଙ୍ଗ ୧୯୯୯' କେବଳ ଗୋଟେ ୱେବ୍‌ ସିରିଜ୍ ନୁହେଁ। ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି ବୋଲି କହିଛନ୍ତି ନିର୍ଦ୍ଦେଶକ। ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ଓଲିଉଡ ଅଭିନେତ୍ରୀ ସୁପ୍ରିୟା ନାୟକ ଅଭିନୟ କରିଛନ୍ତି । ସେ ଏହି ସିରିଜ ଅମ୍ରିତା ପାଢୀ ନାମକ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଏହି ସିରିଜରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା ନିକଟରେ ମନୋନୀତ NSD ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍‌ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ନଜର ଆସିଛନ୍ତି। ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖିଛନ୍ତି ସରୋଜ ମହାପାତ୍ର ଏବଂ ସଂଳାପ ଲେଖିଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details