ଭୁବନେଶ୍ବର:ଆଜି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ(Akshay Parija Blackmailing Case) ରହସ୍ୟମୟୀ ଅର୍ଚ୍ଚନା SDJM କୋର୍ଟରେ ହାଜର ହେବେ । ଏହି ଲେଡି ବ୍ଲାକମେଲର ପ୍ରଯୋଜକଙ୍କ ଅଶ୍ଳୀଳ ଫଟୋ ଜରିଆରେ ତାଙ୍କୁ ବ୍ଲାକମେଲ କରିବା ଓ ଟଙ୍କା ମାଗିଥିବା ଅଭିଯୋଗ ରହିଛି । ଏହି ଘଟଣାରେ ନୟାପଲ୍ଲୀ ପୋଲିସର ରିମାଣ୍ଡ ଟ୍ୟାଗ ପାଇଁ ସେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ।
ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗତ ଅକ୍ଟୋବର 6 ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିଲେ । ସେ ଏବେ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପୂର୍ବରୁ ଦୁଇଥର ସେ ଭିଡିଓ କନଫେରନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ଏପରିକି ପ୍ରଥମ ଥର ଜାମିନ ଆବେଦନ ଉପରେ ତାଙ୍କର ଜାମିନ ଖାରଜ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କ ଗିରଫର 15 ଦିନ ପରେ ଗତ 21 ତାରିଖରେ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରାଯାଇଥିଲା । ଏବେ ଉଭୟ ସ୍ବାମୀ-ସ୍ତ୍ରୀ ଉଭୟ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
ତେବେ ସବୁଠୁ ଆଶ୍ଚର୍ଯର କଥା ଯେ, ଗତ ସେପ୍ଟେମ୍ବର 30 ତାରିଖରେ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ନାମକ ଯୁବତୀଙ୍କ ନାଁରେ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ କରି ଟଙ୍କା ମାଗୁଥିବାର ଅଭିଯୋଗ କରିଥିଲେ । ହେଲେ ଗତ ଅକ୍ଟୋବର 2 ତାରିଖରେ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ଅଭିଯୋଗ ଆଧାରରେ ଅର୍ଚ୍ଚନା ଓ ପରେ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ IPCର ଦଫା 341,328,324,354(c), 370, 386, 387, 388, 389, 419, 420, 465, 506, 120(b), ଓ IT ଆକ୍ଟରେ ଗିରଫ କରିଥିଲା ପୋଲିସ । ତେବେ ନୟାପଲ୍ଲୀ ଥାନାର କେସ୍ ଯେହେତୁ ଅର୍ଚ୍ଚନାଙ୍କ ନାଁରେ ରହିଛି । ତେଣୁ ପୁନଶ୍ଚ ନୟାପଲ୍ଲୀ କେସ୍ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ରିମାଣ୍ଡ ଟ୍ୟାଗ ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା । ଏଥିପାଇଁ କୋର୍ଟ ଅର୍ଚ୍ଚନାଙ୍କୁ ସିଧାସଳଖ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ED ପାଇଁ ଅଡୁଆରେ ପାୱର କରିଡର ! ଖୋଲିବ ଅର୍ଚ୍ଚନା ନାଗର ଆର୍ଥିକ କାରବାର
ଅନ୍ୟପଟେ ଅକ୍ଷୟ ପରିଜା ମାମଲାରେ ଶ୍ରଦ୍ଧାଞ୍ଜଳି ନାମକ ଯୁବତୀ ଅଭିଯୁକ୍ତ ରହିଥିଲେ ହେଁ ତାଙ୍କୁ ଏ ଯାଏଁ ଗିରଫ କରାଯାଇନାହିଁ । କିନ୍ତୁ ସେହି ଯୁବତୀ ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ଅର୍ଚ୍ଚନାଙ୍କ ଓକିଲ ପୂର୍ବରୁ ମଧ୍ୟ ଆପତ୍ତି ଉଠାଇଥିଲେ ଏବଂ ଶ୍ରଦ୍ଧାଞ୍ଜଳି ପାଇଁ କମିଶନରେଟ୍ ପୋଲିସର କାହିଁକି ଏତେ ଦରଦ ବୋଲି କହିଛନ୍ତି ।