ଭୁବନେଶ୍ବର: ଅର୍ଚ୍ଚନା ନାଗ (Archana Nag) ର ବିସ୍ଫୋରକ ବୟାନ ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି । ପାଓ୍ବାର କରିଡରରେ ଛନକା ପଶିଛି । ନେତା, ମନ୍ତ୍ରୀ ଅଫିସର ସବୁ ଛାନିଆ । ଏମିତି କଣ ତଥ୍ୟ ରହିଛି ଅର୍ଚ୍ଚନାଙ୍କ ପାଖରେ ଯାହା ଖୋଲିଗଲେ ରାଜ୍ୟରେ ପରିବର୍ତ୍ତନ ହେବ । କେଉଁଆଡକୁ ତେର୍ଛା ବାଣ ମାରିଛି ଅର୍ଚ୍ଚନା । ଇଡି (ED) ତଦନ୍ତ କରୁ ବୋଲି ସେ ଚାହୁଁଥିବା କହି ଅର୍ଚ୍ଚନା ପାଓ୍ବାର କରିଡରରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି । ବଡ କଥା ହେଉଛି ନେତା, ମନ୍ତ୍ରୀ ଅଫିସରଙ୍କ ଆଡକୁ ଇସାରା କରି ଅର୍ଚ୍ଚନା କିଛି ମୁଖା ଖୋଲିଦେବାର ଭୟ ଦେଖାଇଛନ୍ତି । ପଣସ ଖାଇ ଅଠା ବୋଲି ଦେବା ପ୍ରସଙ୍ଗରେ ଅର୍ଚ୍ଚନା କହିଥିବା ସେହି ଦୁଇ ଜଣ କିଏ ? ଏହାକୁ ନେଇ ବିଜେଡି ବିଧାୟକ ସାରଦା ନାୟକ କହିଛନ୍ତି ଆଗ ଅର୍ଚ୍ଚନା ମୁହଁ ଖୋଲନ୍ତୁ, କାହାର କାହାର ନାଁ ନେବା କଥା ନିଅନ୍ତୁ ତାପରେ ଦେଖିବା କଣ ହେଉଛି । ଏବେ ଠୁ ଏତେ ଛାନିଆ କାହିଁକି ।
ଏହାବି ପଢନ୍ତୁ- ପଣସ ଖାଇଲେ ମୋ ମୁଣ୍ଡରେ ଅଠା ବୋଳିଲେ, ମୁଁ ସମସ୍ତଙ୍କ ମୁଖା ଖୋଲି ଦେବି: ଅର୍ଚ୍ଚନା ନାଗ
ସେପଟେ ଅର୍ଚ୍ଚନାଙ୍କ ମନ୍ତବ୍ୟକୁ ନେଇ ଶାସକ ବିଜେଡିକୁ ଘେରିଛି ବିଜେପି । ଶାସକ ଦଳର ବଡ ପଣ୍ଡାମାନଙ୍କର କାଳେ ମୁଖା ଖୋଲିଯିବ ସେଥିପାଇଁ ଜାଣିଶୁଣି ଅର୍ଚ୍ଚନାଙ୍କ ମୁହଁ ଚୁପ ରଖାଯାଉଛି । ଯଦି ରାଜ୍ୟ ସରକାର ଇଡିକୁ ସମସ୍ତ ସହାୟତା ଯୋଗାଇ ଦିଅନ୍ତେ, ତଦନ୍ତରେ ସହାୟକ ହୁଅନ୍ତେ ବହୁ ବଡ଼ବଡ଼ିଆଙ୍କ ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି । ଅର୍ଚ୍ଚନା କେଳେଙ୍କାରୀରେ ଯେଉଁ ବଡ ବଡିଆ ନେତା ମନ୍ତ୍ରୀ ଅଫିସର ଫଶିଛନ୍ତି ସେମାନଙ୍କର ସେତେବେଳେ ପର୍ଦ୍ଦାଫାଶ ହେବ ଯେତେବେଳେ ରାଜ୍ୟ ପୋଲିସ ଏବଂ ରାଜ୍ୟ ସରକାର ଇଡିକୁ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ମୋହନ ମାଝୀ ।