ଖୋର୍ଦ୍ଧା :ଭାଦ୍ରବ ମାସରେ ଡହଡହ ଖରା ଚାଷୀକୁ ଆକ୍ରାନ୍ତ କଲାଣି । ନିଜ ଆଖି ଆଗରେ ବିଲଫାଟି ଆଁ କରୁଥିବା ବେଳେ ଜଳିବାକୁ ବସିଲାଣି ରୁଆ ହୋଇଥିବା ଧାନ ତଳି । ଫସଲ ଆରମ୍ଭରୁ ଦେଖାଗଲାଣି ମରୁଡ଼ି ସମସ୍ୟା । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରି ଧାନ ଫସଲ କରିଥାନ୍ତି । କିନ୍ତୁ ଚଳିତ ଥର ମୌସୁମୀର ଲୁଚକାଳି ଖେଳ ଚାଷୀ ପାଇଁ କାଳ ପାଲଟିଛି ।
ଏବେ ଚାଷୀ ଚାହିଁ ରହିଛି ଲଘୁଚାପ ବର୍ଷାକୁ । ସେପଟେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧ଲକ୍ଷ ୧୬ହଜାର ୬୭୬ ହେକ୍ଟର ଚାଷ ଜମିରେ ଖରିଫ ଧାନ ଫସଲ ହୋଇଛି । ସେ ମଧ୍ୟରେ ଖୋର୍ଦ୍ଧା ବ୍ଲକରେ 13950 ହେକ୍ଟର, ବେଗୁନିଆରେ 14600, ବୋଲଗଡ଼ରେ 15801, ଟାଙ୍ଗିରେ12591, ଚିଲିକାରେ 11601, ବାଣପୁରରେ 12470, ଭୁବନେଶ୍ୱରରେ 8839, ଜଟଣୀରେ 6839, ବାଲିଅନ୍ତାରେ 9708 ଏବଂ ବାଲିପାଟଣା ବ୍ଲକରେ 10277 ହେକ୍ଟର ଜମିରେ ଧାନ ଫସଲ କରିଛନ୍ତି ଚାଷୀ ।
ସେହିଭଳି ଅଗଷ୍ଟ ମାସରେ 320.6 ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ 309.6 ମିଲିମିଟର ବର୍ଷା ହୋଇଥିବା କହିଛି କୃଷି ବିଭାଗ । ତେବେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଓ ସେପ୍ଟେମ୍ବର ମାସ ଆରମ୍ଭରୁ ଡହଡହ ଖରା ଚାଷୀର ମେରୁଦଣ୍ଡ ଉପରେ ମାଡ଼ ସଦୃଶ ଅନୁଭବ କରିଛି ଚାଷୀ । ତେବେ ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିତ ବୋଲି ଜଳଜଳ ଦିଶିଲାଣି ।