ନିଆଳି:ଗାଁ ଦାଣ୍ଡରେ ବାଜା,ବାଣ ଓ ଭୋଜିଭାତ ଚାଲିଛି । ବେଦି ବି ହୋଇଛି ଆଉ ବରକନ୍ୟା ବି ରେଡି । କୁମାର ପୂର୍ଣ୍ଣିମା ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଏବଂ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କୁମାରୀ ବିବାହ ଅନୁଷ୍ଠିତ ହୋଇଯାଇଛି । ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପଶାସନ ଗ୍ରାମପଞ୍ଚାୟତ ସ୍ଥିତ ନୂଆପାଟଣା ଗ୍ରାମରେ କଣ୍ଢେଇ ବାହାଘର ଆୟୋଜିତ ହୋଇଥିଲା । କୁମାର ପୂର୍ଣ୍ଣିମା ଅବସରରେ କୁମାରୀ ବିବାହ ଓଡ଼ିଆ ପରମ୍ପରାରେ କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି ।
କଣ୍ଢେଇ ବାହାଘର ସ୍ୱତନ୍ତ୍ରତା ହେଉଛି ଏଥିରେ ସମସ୍ତେ ଛୋଟ ଛୋଟ ଝିଅପିଲା ଅଂଶଗ୍ରହଣ କରିଥାନ୍ତି । କୁମାର ପୂର୍ଣ୍ଣିମା ପୂର୍ବଦିନ ଗ୍ରାମର କୁମାରୀମାନେ ପରସ୍ପର ମଧ୍ୟରେ ମେହେନ୍ଦି ଲଗାଇବା, ନାଚଗୀତ ସହିତ ରୀତିନୀତି ଅନୁସାରେ ମଙ୍ଗନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପୂର୍ଣ୍ଣିମା ତିଥିରେ ପ୍ରାତଃରୁ ଗ୍ରାମର ସମସ୍ତ କୁମାରୀମାନେ ଏକତ୍ରିତ ହୋଇ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହ ବୃନ୍ଦାବତୀ ଚଉରା ମୂଳରେ ବିଭିନ୍ନ ପୂଜା ସାମଗ୍ରୀ ଓ ଭୋଗ ନୈବେଦ୍ୟ ଅର୍ପଣ ସହ ଆଞ୍ଜୁଳି ଟେକିଥିଲେ । ଅପରାହ୍ନରେ ଗ୍ରାମର ଦୁଇ କୁମାରୀ କନ୍ୟା ଓ ବର ବେଶରେ ସଜେଇ ହୋଇଥିଲେ । ପରେ ସମସ୍ତେ ଏକତ୍ରିତ ହୋଇ ବରକୁ ସାଥିରେ ଧରି ବିବାହ ପାଇଁ ମଣ୍ଡପ ଅଭିମୁଖେ ବିଭିନ୍ନ ପାରମ୍ପରିକ ବାଦ୍ୟ ତାଳେ ତାଳେ ନାଚିନାଚି ଶୋଭାଯାତ୍ରାରେ ଯାଇଥିଲେ । ମଣ୍ଡପରେ ପହଞ୍ଚିବା ପରେ ଦୁଇ କୁମାରୀଙ୍କ ମଧ୍ୟରେ ଯଥା ରୀତିନୀତି ଅନୁସାରେ ଶ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ଶୁଭବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।