ଭୁବନେଶ୍ବର:ଆସନ୍ତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ‘କୃଷି ଓଡ଼ିଶା ୨୦୨୩’ କାର୍ଯ୍ୟକ୍ରମ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନିଆ କୃଷି ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୮ ତାରିଖ ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହି ତିନିଦିନିଆ କୃଷି ଓଡିଶା କାର୍ଯ୍ୟକ୍ରମରେ କୃଷି ବିକାଶର ନୂଆ ଜ୍ଞାନକୌଶଳ ଶିଖିବେ କୃଷକ ।
ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ କୃଷି ଓଡ଼ିଶାରେ ମୋଟ ୧୭୫ ଗୋଟି ମଣ୍ଡପ ପ୍ରଦର୍ଶିତ ହେବ । ଏଥିରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ମିଶନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଜାତୀୟ ଧାନ ଗବେଷଣା କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା, କୃଷି ଉଦ୍ୟୋଗୀ, ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ସାମଗ୍ରୀ ବିତରକ, କୃଷି ଉତ୍ପାଦନ ସଂଘ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଓଡ଼ିଶା ମିଲେଟ୍ ମିଶନ ଆଦି ସଂସ୍ଥା ଭାଗ ନେବେ । କୃଷିମେଳାରୁ ଚାଷୀମାନଙ୍କଠାରୁ ମିଳୁଥିବା ମତାମତ ଓ ସେମାନଙ୍କର ଅନୁଭୂତିକୁ ଆଧାର କରି ରାଜ୍ୟ ସରକାର କୃଷି କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି । ଚଳିତ ବର୍ଷର କୃଷି ଓଡ଼ିଶାର ବିଷୟବସ୍ତୁ ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’ ରହିଛି । ବିଭାଗ ପକ୍ଷରୁ ସର୍ବଦା ନୂତନ ପ୍ରଯୁକ୍ତିବିଦ୍ୟା ଓ ଯନ୍ତ୍ରପାତିର ପ୍ରୟୋଗକୁ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଚାଷୀଙ୍କୁ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଇଥିବା କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଚାଷୀଙ୍କର କିପରି ଉତ୍ପାଦନ ଖର୍ଚ୍ଚ କମ୍ ହେବା ସହ ସମୟର ସଞ୍ଚୟ ହୋଇପାରିବ ସେ ଦିଗରେ ଗୁରୁତ୍ବ ଦିଆଯାଉଛି । ଏଥି ସହିତ କୃଷି କାର୍ଯ୍ୟରେ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ବ୍ୟବହାରକୁ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଉଛି । କୃଷି ବିକାଶ ଯୋଜନା ଏବଂ ଆଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିକୁ କୃଷକମାନଙ୍କ ନିକଟତର କରିବା ପାଇଁ ଚଳିତ ବର୍ଷ ପ୍ରଥମଥର ପାଇଁ ଆଞ୍ଚଳିକ କୃଷିମେଳାର ଆୟୋଜନ କରାଯାଇଛି । ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଉଛି । ମହିଳା ସଶକ୍ତିକରଣ ପାଇଁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ବହୁଳ ଭାବରେ ଭାଗନେବା ପାଇଁ ଆହ୍ବନ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।