ଭୁବନେଶ୍ବର: କୋଟିଆ କଣ୍ଟା ନା ଭାଙ୍ଗୁଛି ନା ଛିଡୁଛି । ଦିନ ଗଡୁଛି ବିବାଦ ବଢୁଛି । ରାଜନୈତିକ ଫାଇଦା ନେବାକୁ ବିଜେଡି-ବିଜେପି ଅଣ୍ଟା ଭିଡ଼ିଛି । ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଆନ୍ଧ୍ର ଗୋ ବ୍ୟାକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କୋଟିଆରେ ରାଜ୍ୟ ସରକାର ବିକାଶ କରିନଥିବା ବିଜେପି ଅଭିଯୋଗ କରିଛି । ଯାହାର ଜବାବରେ ତୀକ୍ଷ୍ଣ ମନ୍ତବ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା, ସେ ରାସ୍ତା ରାଜ୍ୟ ସରକାର କରିଛନ୍ତି ବୋଲି କହିଛନ୍ତି ପ୍ରମିଳା ।
ପ୍ରମିଳା କହିଛନ୍ତି, "ବିଜେପି କୋଟିଆ ଯାଇଥିବା ରାସ୍ତା ରାଜ୍ୟ ସରକାର କରିଛନ୍ତି । ସ୍କୁଲ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ରାଜ୍ୟ ସରକାର କରିଛନ୍ତି । ଡାକ୍ତରଖାନା ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ଟଙ୍କାରେ ହୋଇଛି । କୋଟିଆ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । କୋଟିଆ ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ରାଜସ୍ବ ମନ୍ତ୍ରୀ । ଅନୁରୋଧ କରିବି କେନ୍ଦ୍ର ସରକାର ଦୁଇ ରାଜ୍ୟ ସରକାରଙ୍କୁ ଡାକି ସୀମା ନିର୍ଦ୍ଧାରଣ କରିଦିଅନ୍ତୁ । କୋଟିଆ ସମସ୍ୟାକୁ ତୁରନ୍ତ ସମାଧାନ କରି ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇଥିଲେ । ଏକଥା ଆଲୋଚନା କରିବା ଦରକାର ବୋଲି ସେ ଅନୁଭବ କରୁଛନ୍ତି । ତେବେ କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ । କାହାର କେଉଁଠି ସୀମା ତାହା ନିର୍ଦ୍ଧାରଣ କରନ୍ତୁ ।"