ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ: ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ - କାଙ୍କଣ ଶିଖରୀ ମନ୍ଦିର

କଳାଠାକୁରଙ୍କ କିମ୍ବଦନ୍ତୀ ସହ ଜଡିତ ଏକ ପୀଠ ହେଉଛି ଖୋର୍ଦ୍ଧା ଚିଲିକା ଭିତରେ ଥିବା କାଙ୍କଣ ଶିଖରୀ । ଏଠାରେ ପାତାଳି ହୋଇଥିଲେ ଜଗନ୍ନାଥ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ;ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ
ମହାପ୍ରଭୁଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ;ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

By

Published : May 21, 2022, 4:11 PM IST

ଖୋର୍ଦ୍ଧା :ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପ୍ରାଣକେନ୍ଦ୍ର । ମହାବାହୁଙ୍କ ଲୀଳା ଅପାର । ଶ୍ରୀଜଗନ୍ନାଥଙ୍କ ରହିଛି ଅସରନ୍ତି ଗାଥା । ଅମାପ ମହିମାର ଅନନ୍ୟ ଅବର୍ଣ୍ଣନୀୟ କଳାଠାକୁର । ଭାଷାରେ ତାକୁ କିଏବା ବଖାଣି ପାରିବ । କେବଳ ଭାବରେ ହିଁ ତାକୁ ଅନୁଭବ କରିହୁଏ। ମହାପ୍ରଭୁଙ୍କୁ ନେଇ କିମ୍ବଦନ୍ତୀ ଓ ଇତିହାସରେ ବର୍ଣ୍ଣିତ ରହିଛି ଅନେକ ଗାଥା। ଭାବବିନୋଦିଆ କଳାଠାକୁରଙ୍କ କିମ୍ବଦନ୍ତୀ ସହ ଜଡିତ ଏକ ପୀଠ ହେଉଛି ଖୋର୍ଦ୍ଧା ଚିଲିକା ଭିତରେ ଥିବା କାଙ୍କଣ ଶିଖରୀ ।

ମହାପ୍ରଭୁଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ

କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଲୀଳା କ୍ଷେତ୍ର ବୋଲି କୁହାଯାଏ । ଶ୍ରୀକ୍ଷେତ୍ରର ଭ୍ରମ ସୃଷ୍ଟି କରେ କାଙ୍କଣ ଶିଖରୀ । 1731 ମସିହାରେ ମୋଗଲଙ୍କ ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ପାଇଁ ବଡ଼ ଦେଉଳରୁ ଆଣି କାଙ୍କଣୀ କୁଦରେ ପାତାଳି କରାଯାଇଥିଲା । ଯାହା ମାଦଳା ପାଞ୍ଜିରେ ଲିପିବଦ୍ଧ ହୋଇ ରହିଛି । କିମ୍ବଦନ୍ତୀ କହେ ମୋଗଲ ଶାସକଙ୍କ ଆକ୍ରମଣରୁ ବର୍ତ୍ତିବାକୁ ଗଜପତି ଓ ସେବାୟତମାନେ ମହାପ୍ରଭୁଙ୍କୁ ଚିଲିକାର ନୀଳ ଜଳରାଶି ମଧ୍ୟରେ ଥିବା ଏକ ଟାପୁରେ ଲୁଚାଇ ରଖିଥିଲେ ।

ଏହି କ୍ଷେତ୍ର ଏବେ ଶ୍ରୀଜୀଉଙ୍କ ଲୀଳା କ୍ଷେତ୍ର ଭାବେ ବେଶ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିଲିକା ମଝିରେ ରହିଛି ଲିଳାକ୍ଷେତ୍ର କାଙ୍କଣ ଶିଖରୀ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏଠି ପାଳିତ ହୁଏ ସମସ୍ତ ପର୍ବ ପର୍ବାଣୀ । ଶ୍ରୀଗୁଣ୍ଡିଚାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ସାଆନ୍ତ ଡଙ୍ଗାରେ ଚିଲିକା ପରିଭ୍ରମଣ କରନ୍ତି । ଏ ଅପୂର୍ବ ଦୃଶ୍ୟ ଦେଖିବାକୁ ଏଠାରେ ଭକ୍ତଙ୍କ ଗହଳି ମଧ୍ୟ ଜମିଥାଏ । ଯାହା ବିଶ୍ବରେ ଅନ୍ୟ କେଉଁଠି ଦେଖିବାକୁ ମିଳେନି।

ଜଗନ୍ନାଥ ଏଠାରେ ପାତାଳୀ ହୋଇଥିବା ସମୟରେ ଟାପୁରେ ଫଳିଥିବା କାଙ୍କଡ଼ ମହାପ୍ରଭୁଙ୍କୁ ଭୋଗଲାଗି ହୋଇଥିଲା । ସେହି ଦିନ ଠାରୁ ଏହି କ୍ଷେତ୍ରକୁ କାଙ୍କଣ ଶିଖରୀ ଭାବେ ଅଭିହିତ କରାଯାଇଛି । ଜଗନ୍ନାଥ ସଂସ୍କୃତିର ଏହି ପିଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରୁଛି । ସେପଟେ ଏହି କ୍ଷେତ୍ରର ମାହାତ୍ମ୍ୟ ରହିଥିବାରୁ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ଦାବି କରିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details