ଭୁବନେଶ୍ବର:ଚଳିତ ଖରିଫ ଚାଷ ସମସ୍ୟା ସମ୍ପର୍କରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି l କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱ ଏହି ବୈଠକ ହୋଇଥିବାବେଳେ ଚାଷୀମାନଙ୍କୁ ବିହନ, ତଳି ଯୋଗାଇଦେବା ନେଇ ଆଲୋଚନା କରାଯାଇଛି । ଏହାସହ ସାର ଅଭାବ ରହିଥିବାରୁ ତାକୁ ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରିବାକୁ ଦାବି କରିଛି କିଷାନ କଂଗ୍ରେସ l ଏହାସହ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯିବାକୁ ଦାବି କରାଯାଇଛି l
ଏନେଇ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି,"ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ଅଗଷ୍ଟ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । କୃଷି ଋଣ ପ୍ରଦାନ କରିବାରେ ସରକାର ବିଳମ୍ବ କରୁଛନ୍ତି । ଭାଗ ଚାଷୀ ଆଇନ ଏବେ ଅଧାରେ ଝୁଲିକି ଅଛି । କୃଷି କ୍ୟାବିନେଟ, କୃଷକ କମିଶନ, ସ୍ୱତନ୍ତ୍ର କୃଷି ବଜେଟ ସରକାରଙ୍କ ଏକ ଭେଳିକି । କାଳିଆ ଯୋଜନାରେ ରାଜ୍ୟ ସରକାର 75 ଲକ୍ଷ ଚାଷୀଙ୍କୁ 2ଟି କିସ୍ତିରେ 10 ହଜାର ଟଙ୍କା ସହାୟତା ପ୍ରଦାନ କରିବେ । ହେଲେ ଏପର୍ଯ୍ୟନ୍ତ 43 ଲକ୍ଷ ଚାଷୀଙ୍କୁ ପଞ୍ଜିକୃତ କରିଛନ୍ତି । ଚାଷୀଙ୍କ ଆୟ ଅତ୍ୟନ୍ତ ନୈରାଶ୍ୟ ଜନକ । ତେଣୁ ଚାଷୀମାନଙ୍କୁ ବିହନ, ତଳି, ବିଜୁଳି, ଉଠାଜଳସେଚନ ଜରିଆରେ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ" ବୋଲି ଦାବି କରିଛି କିଷାନ କଂଗ୍ରେସ ।