ଭୁବନେଶ୍ବର:ବାଲେଶ୍ବର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପରିବାରର ଜଣେ ହିତାଧିକାରୀ ଓ ତାଙ୍କ ପରିବାରର ପିଲାଙ୍କୁ KIITରେ ମାଗଣା ଶିକ୍ଷା ଦାନ କରିବାକୁ KIIT ପକ୍ଷରୁ ଘୋଷଣା କରାଯାଇଛି । ଏ ସମ୍ପର୍କରେ KIIT ଓ KISSର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ଏକ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଦୁଃଖଦ ରେଳ ଦୁର୍ଘଟଣା ହୋଇଥିବାବେଳେ ସରକାରୀ ରିପୋର୍ଟ ଅନୁଯାୟୀ, ମୋଟ ୨୮୮ଜଣ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଓଡ଼ିଶାର ମୃତକଙ୍କ ସଂଖ୍ୟା ୩୯ ବୋଲି ଘୋଷଣା ହୋଇଛି। ଏହି ସଂଖ୍ୟା ଆଧାରରେ ମୃତକଙ୍କ ପରିବାରକୁ ସମବେଦନା ସ୍ୱରୂପ ଏଭଳି ଘୋଷଣା କରିଛନ୍ତି KIITର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ସାମ୍ୱାଦିକ ସମ୍ମିଳନୀରେ ଅଚ୍ୟୁତ କହିଛନ୍ତି ଯେ, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର ଦୁଃଖ ଲାଘବ କରି ନ ପାରିଲେ ମଧ୍ୟ ସେମାନଙ୍କୁ କିଛି ସାହାଯ୍ୟ କରିପାରିଲେ ଆମେ ନିଜକୁ ଧନ୍ୟ ମନେ କରିବୁ । ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିର୍ତ୍ତିରେ KIIT ଓ KISSରେ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ସେହିପରି ରେଳ ଦୁର୍ଘଟଣାରେ ଅଭିଭାବକଙ୍କୁ ହରାଇଥିବା ପିଲାମାନେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ KIIT ଓ KIIS ଅନୁଷ୍ଠାନରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ଆବେଦନ ପ୍ରକ୍ରିୟା ବାବଦରେ KIIT ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ।