ଖୋର୍ଦ୍ଧା: ଗୁଣାତ୍ମକ ଶିକ୍ଷାର ଉନ୍ନତି ଓ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି । ବେଟି ପଢାଓ ବେଟି ବଚାଓ ସ୍ଲୋଗାନ ଦେଉଛନ୍ତି ସରକାର । ଖୁସି ଯୋଜନାରେ ଛାତ୍ରୀ ମାନଙ୍କୁ ନାପକିନ ଦେଉଛନ୍ତି । ହେଲେ ଫନି ବାତ୍ୟାରେ ବିଦ୍ୟାଳୟ ଗୃହ ଭାଙ୍ଗି ଯାଇଥିବା ବେଳେ ଏହା ଉପରେ କାହାର ଦୃଷ୍ଟି ପଡିନି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଭୂଷଣ୍ଡପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ବାତ୍ୟା ଆଶ୍ରୟ ସ୍ଥଳରେ ପାଠ ପଢୁଛନ୍ତି ଛାତ୍ରୀ । ଆଉ ବାତ୍ୟାରେ ଭାଙ୍ଗି ଯାଇଥିବା ଘରେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । 1996 ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବିଦ୍ୟାଳୟ ଫନି ବାତ୍ୟାରେ ଅସ୍ଥିତ୍ୱ ହରାଇଛି । କେଉଁଠି ବିଦ୍ୟାଳୟର ଆଜବେଷ୍ଟସ ଛପର ଉଡି ଯାଇଛି ତ ବର୍ଷାରେ କାନ୍ଥ ଭୁଶୁଡି ଗଲାଣି । ଝରକା କବାଟ ଭାଙ୍ଗି ରୁଜି ଖତ ହୋଇଗଲାଣି । ହେଲେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ବିଦ୍ୟାଳୟ ।