ଖୋର୍ଦ୍ଧା : ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାର ଜଳସ୍ତର ବୃଦ୍ଧି ପାଇଛି । ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି । ଓରବରସିଂ ପଞ୍ଚାୟତର ଓରବରସିଂ, ହିରିମୂଳ ଡିହଖଳା, ଦୁର୍ଗାପୁର, କୃଷ୍ଣପୁର, ରାୟପୁର, ନରଣଗଡ ପଞ୍ଚାୟତର ମାନପୁର, ବଳପୁର, ଧଳପୁର, ଓରମୀ ଏବଂ ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଗ୍ରାମ ବନ୍ୟା ଘେରରେ ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ବନ୍ୟା ଯୋଗୁଁ ଖୋର୍ଦ୍ଧା ଜିଲାରେ ସ୍ଥିତି ସଙ୍ଗୀନ ହୋଇଛି । ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି । ଜିଲ୍ଲାର ହିରିମୂଳ, ଡିହଖଳା ଓ ଦୁର୍ଗାପୁର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ମାନପୁର ଗ୍ରାମ ବାତ୍ୟା ଆଶ୍ରୟସ୍ଥଳିରେ ବହୁ ଗ୍ରାମବାସୀ ଆଶ୍ରୟ ନେଇଛନ୍ତି । ଗତ ତିନି ଦିନ ଧରି ହିରିମୂଳ ଗ୍ରାମରେ ୮ଫୁଟ ଉଚ୍ଚର ପାଣି ମାଡ଼ିବା ସହିତ ଘରେ ପାଣି ପଶିଛି । ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ୨ଟି ଡଙ୍ଗା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପହଂଚା ଯାଉଛି । ସେହିପରି ଗୋରୁଙ୍କ ପାଇଁ ଖାଦ୍ୟ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଅନ୍ୟପଟେ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍ ବନ୍ୟାଘେରରେ ଥିବା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଆବଶ୍ୟକ ଔଷଧ ଦେଉଛନ୍ତି । ଆବଶ୍ୟକ ପଡ଼ିଲେ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।