ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିଛି ଖୋର୍ଦ୍ଧା ପ୍ରଶାସନ । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳି ପ୍ରସ୍ତୁତ ରହିଛି । ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ମହଜୁଦ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବନ୍ୟାଜଳ ଦ୍ବାରା ଚାଷଜମି ପ୍ରଭାବିତ ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ପାଇଁ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ।
ଜିଲ୍ଲାରେ ରାଜୁଆ ଓ ଦୟାନଦୀ ପ୍ରଭାବରେ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ବ୍ଲକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ତିନୋଟି ବ୍ଲକର ୧୦ଟି ପଞ୍ଚାୟତର ୧୬ଟି ଗ୍ରାମରେ ବନ୍ୟା ପ୍ରଭାବ ପଡ଼ିଛି । ଏଥିରେ ପ୍ରାୟ ୪୪୯୮ ଜଣ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୮ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ କହିଛନ୍ତି । ବାଲିଅନ୍ତାର ୩ଟି ଓ ଖୋର୍ଦ୍ଧା ବ୍ଲକର ୨ଟି ସ୍ଥାନରେ ଫ୍ରି କିଚେନ ବ୍ୟବସ୍ଥା କରାଯାଇଛି । ବାଲିପାଟଣା ବ୍ଲକରେ ଏନଡିଆରଏଫ ଓ ଖୋର୍ଦ୍ଧା ବ୍ଲକରେ ଓଡ୍ରାଫ ଟିମ ମୃତୟନ କରାଯାଇଛି । ୮ଟି ଯନ୍ତ୍ରଚାଳିତ ଡଙ୍ଗା ସମେତ ୫୮ଟି ଡଙ୍ଗା ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।